ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ ଉଡାଣ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି। ଏହି ଟିମ ପୃଥିବୀର ଦୀର୍ଘତମ ବିମାନ ଉଡାଣ କ୍ଷେତ୍ର ଅର୍ଥାତ ଉତ୍ତର ମେରୁ ଉପରେ ବିମାନ ଉଡାଇବାକୁ ଯାଉଛନ୍ତି। ଏୟାର ଇଣ୍ଡିଆର ମହିଳା କ୍ୟାପଟେନ ଜୋୟା ଅଗ୍ରୱାଲ ଏହି ମିସନର ନେତୃତ୍ବ ନେଉଛନ୍ତି । ମହିଳା ପାଇଲଟଙ୍କୁ ନେଇ ଗଠିତ ଏହି ଟିମ ସାନ ଫ୍ରାନସିସ୍କୋରୁ ବିମାନ ଉଡାଇ ଆଜି ବେଙ୍ଗାଲୁରୁରେ ପହଞ୍ଚିବେ। ଏହି ଯାତ୍ରାରେ ମହିଳା ପାଇଲଟମାନେ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିବେ ବୋଲି କୁହାଯାଉଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀଙ୍କ କହିବାନୁସାରେ, ଉତ୍ତର ମେରୁର ଏହି ରୁଟରେ ବିମାନ ଉଡ଼ାଇବା ପାଇଲଟଙ୍କ ପାଇଁ ସହଜ ହୋଇ ନ ଥାଏ ଏବଂ ଏଥିଲାଗି ଅନନ୍ୟ ଦକ୍ଷତା ଆବଶ୍ୟକ ପଡ଼ିଥାଏ। ଏୟାରଲାଇନ କମ୍ପାନିଗୁଡ଼ିକ ସେମାନଙ୍କର ସବୁଠାରୁ ଭଲ ଅଭିଜ୍ଞତା ଥିବା ପାଇଲଟଙ୍କୁ ଏହି ରୁଟରେ ଉଡ଼ାଣ ପାଇଁ ଅନୁମତି ଦେଇଥାନ୍ତି। ଚଳିତ ଥର ଭାରତୀୟ ଏୟାର ଲାଇନ୍ସ କମ୍ପାନି ଏୟାର ଇଣ୍ଡିଆର ଜଣେ ମହିଳା କ୍ୟାପଟେନଙ୍କୁ ସାନ ଫ୍ରାନସିସ୍କୋରୁ ବେଙ୍ଗାଲୁରୁକୁ ବିମାନ ଉଡ଼ାଇବାକୁ ଦାୟିତ୍ବ ଦେଇଛି। ଜୋୟା ଅଗ୍ରୱାଲ କହିଛନ୍ତି, ତାଙ୍କ ଉପରେ ବିଶ୍ୱାସ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଏୟାର ଇଣ୍ଡିଆ ତାଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ସେ ଗର୍ବ ଅନୁଭବ କରିଛନ୍ତି। ଏହି ରୁଟରେ ବିମାନ ଉଡାଇବାକୁ ଅନେକ ଅଭିଜ୍ଞ ପାଇଲଟ ଅପେକ୍ଷା କରିଥାଆନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0