ପ୍ୟାରିସ: ଆତଙ୍କବାଦୀଙ୍କ ବିରୋଧରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ଫ୍ରାନ୍ସ। ଫ୍ରାନ୍ସର ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଅଲକାଏଦାର ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଏୟାର ଷ୍ଟ୍ରାଇକ୍ରେ ଫ୍ରାନ୍ସ ବାୟୁସେନା ମିରାଜ ଯୁଦ୍ଧ ବିମାନ ଓ ଡ୍ରୋନର ବ୍ୟବହାର କରିଥିଲା। ଫ୍ରାନ୍ସ ପକ୍ଷରୁ ବର୍କିନାଫାସୋ ଓ ନାଇଜର ସୀମାନ୍ତ ନିକଟରେ ହିଁ ଏପରି ଭୟଙ୍କର ହମଲା କରାଯାଇଛି।
ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି, ଫ୍ରାନ୍ସ ପକ୍ଷରୁ ଅକ୍ଟୋବର ୩୦ରେ ମାଲିରେ ଆକାଶ ମାର୍ଗରୁ ମିସାଇଲ ମାଡ଼ କରାଯାଇଥିଲା। ଏଥିରେ ୫୦ରୁ ଅଧିକ ଜିହାଦୀ ପ୍ରାଣ ହରାଇଛନ୍ତି। ଏହି ହମଲା ପରେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଯେଉଁ ଅଞ୍ଚଳରେ ଫ୍ରାନ୍ସ ବାୟୁସେନା ଆକ୍ରମଣ କରିଛି ସେଠାରେ ଇସଲାମିକ ଆତଙ୍କବାଦୀମାନେ ବହୁ ଦିନରୁ ସକ୍ରିୟ ରହିଥିଲେ।
ଏହି ଏୟାର ଷ୍ଟ୍ରାଇକ୍ରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ପ୍ରାୟ ୩୦ଟି ବାଇକ୍ ମଧ୍ୟ ଧ୍ୱଂସ ହୋଇଯାଇଛି। ପ୍ରଥମେ ଡ୍ରୋନ ଦ୍ୱାରା ଆତଙ୍କବାଦୀ କେଉଁଠାରେ ଅଛନ୍ତି, ତା’କୁ ଚିହ୍ନଟ କରାଯାଇଥିଲା। ଡ୍ରୋନରୁ ଜଣାପଡ଼ିଥିଲା ଯେ ବହୁ ସଂଖ୍ୟାରେ ଆତଙ୍କବାଦୀ ବାଇକ୍ରେ ବସି ୩ ଦେଶର ସୀମା ନିକଟରେ ରହିଛନ୍ତି। ସେମାନେ ଡ୍ରୋନକୁ ଦେଖିବା କ୍ଷଣି ସେଠାରେ ଥିବା ଗଛ ଗୁଡ଼ିକ ପଛରେ ଲୁଚି ଯାଇଥିଲେ। ତେବେ ଏହି ସମୟରେ ଫ୍ରାନ୍ସ ବାୟୁସେନା ଦୁଇଟି ମିରାଜ ଯୁଦ୍ଧ ବିମାନ ଜରିଆରେ ଆରମ୍ଭ କରିଥିଲା ପ୍ରଚଣ୍ଡ ଆକ୍ରମଣ। ମିରାଜ ଯୁଦ୍ଧ ବିମାନରୁ ବାହାରିଥିବା ମିସାଇଲ ମାଡ଼ରେ ଆତଙ୍କବାଦୀ ଘଟଣା ସ୍ଥଳରେ ହିଁ ସଫା ହୋଇଯାଇଥିଲେ।
ସୁରକ୍ଷାକର୍ମୀମାନେ କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀଙ୍କୁ ଜୀବନ୍ତ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଆତ୍ମଘାତୀ ହମଲା ପାଇଁ ବ୍ୟବହାର କରାଯାଉଥିବା ଜ୍ୟାକେଟ ଜବତ କରାଯାଇଛି। ଏହି ଆତଙ୍କବାଦୀମାନେ ସେନା ବାହିନୀର ଗୋଟିଏ କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଫ୍ରାନ୍ସ ବାୟୁସେନା ଏହାକୁ ଭଣ୍ଡୁର କରିଦେଇଛି।



Visitors Today : 0
Total Visitors : 130518
Total Views : 9892064
Visitors Online Now : 0