ଭୁବନେଶ୍ୱର: ଆଜିକୁ ୧୩ ଦିନ ହେଲାଣି ରାଜରାସ୍ତାରେ କୋରନା ଯୋଦ୍ଧା । ଶୀତ କାକରରେ ପଡ଼ିରହିଛନ୍ତି ରାସ୍ତା ଉପରେ । କରୋନା ମହାମାରୀ ସମୟରେ ଏମାନେ ଥିଲେ ଆଗ ଧାଡ଼ିର ଯୋଦ୍ଧା । ଠିକା ନିଯୁକ୍ତି ପାଇ ବି ନିଜ ଜୀବନକୁ ବିପଦରେ ଠେଲି କରୋନା ରୋଗୀଙ୍କ ସେବା କରିଥିଲେ। କିନ୍ତୁ କରୋନାର ପ୍ରକୋପ କମିବା ପରେ ସରକାର ସେମାନଙ୍କୁ ଛଟେଇ କରିଦେଇଛନ୍ତି । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ସେମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହା ମଧ୍ୟରେ ୧୩ ଦିନ ହେବ ଥଣ୍ଡା କାକରରେ ସେମାନେ ରାଜରାସ୍ତାରେ ବସିଛନ୍ତି । ତଥାପି ସରକାରଙ୍କ ନିଦ ଭାଙ୍ଗୁନି। ଆନ୍ଦୋଳନରତ ଏଏନ୍ଏମ୍ଙ୍କ ମଧ୍ୟରୁ ୧୫ ଜଣ ଆମରଣ ଅନଶନ କରିଛନ୍ତି । ଗତ ରାତିରେ ସେମାନଙ୍କ ମଧ୍ୟରୁ ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। କିନ୍ତୁ ସେମାନଙ୍କୁ ହସ୍ପିଟାଲ ନେବାର ବ୍ୟବସ୍ଥା କରାଗଲାନି। ପ୍ରତିବାଦରେ ଧାରଣାରତ ଏଏନ୍ଏମ୍ ଗତ ସନ୍ଧ୍ୟାରୁ ଲୋୟର ପିଏମ୍ଜି ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସରକାର ସେମାନଙ୍କୁ ବିନା ନୋଟିସରେ ଛଟେଇ କରିଦେଲେ। ବହୁତ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିନାହିଁ । ତେବେ, ଆମକୁ କମ୍ ଦରମାରେ ହେଲେ ବି ରଖାଯାଉ ଏବଂ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ଧାରଣାରତ କୋରନା ଯୋଦ୍ଧା ମାନେ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0