ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଚଳିତ ଅଧିବେଶନ ପାଇଁ ବିଧାନସଭାର ରୂପରେଖ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । କୋଭିଡ କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ ।
ଅଧିବେଶନ ଆରମ୍ଭରୁ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା ଓ ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଭିସିରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଧାନସଭା ଅଧିବେଶନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଅନ୍ୟ କିଛି ବରିଷ୍ଠ ବିଧାୟକ ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ଥିବା ବେଳେ ଆଉ କିଛି ବିଧାୟକ ଜିଲ୍ଲା ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରୁ ଯୋଗ ଦେଇଥିଲେ।
ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଉପସ୍ଥିତ ଥିବା ବେଳେ କଂଗ୍ରେସ ବିଧାୟକ ମଧ୍ୟ ଚଳିତ ଅଧିବେଶନରେ ସାମିଲ ହୋଇଥିଲେ । କୋଭିଡ ପାଇଁ ଗୃହ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପ୍ରତ୍ୟେକ ସଦସ୍ୟଙ୍କ ଆସନ ଆଗରେ କାଚ ସିଲ୍ଡ ଲଗାଯାଇଛି । ଏହାବାଦ୍ ଦର୍ଶକ ଗ୍ୟାଲେରୀ ଓ ବାଚସ୍ପତି ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କରୋନା ପାଇଁ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ମାସ୍କ ସହ ଗ୍ଲୋବସ ବ୍ୟବହାର କରିଛନ୍ତି । ଚଳିତ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିବା ବେଳେ ଭିସି ମାଧ୍ୟମରେ ବିଧାନସଭା ଅଧିବେଶନରେ ସାମିଲ ହେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0