ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମନାଲି ଏବଂ ଲଦାଖର ଲେହ ମଧ୍ୟରେ ନିର୍ମିତ ହୋଇଛି ଅଟଳ ସୁଡ଼ଙ୍ଗ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୦୦୦ ମିଟର ଉଚ୍ଚରେ ନିର୍ମିତ ଏହି ସୁଡ଼ଙ୍ଗର ଦୈର୍ଘ୍ୟ ୮.୮ କିଲୋମିଟର । ସୁଡ଼ଙ୍ଗଟି ସେପ୍ଟେମ୍ବର ଶେଷ ସୁଦ୍ଧା ଖୋଲିବ ବୋଲି ଜଣାପଡ଼ିଛି । ୩୨,୦୦୦ କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ସୁଡ଼ଙ୍ଗ ଯୋଗୁଁ ମନାଲି ଓ ଲେହ ମଧ୍ୟରେ ଥିବା ୪୭୪ କିଲୋମିଟର ଦୂରତ୍ୱ ୪୬ କିଲୋମିଟରକୁ ହ୍ରାସ ପାଇବ । ଯାତ୍ରା ପାଇଁ ଲାଗୁଥିବା ମୋଟ ସମୟ ୮ ଘଣ୍ଟାରୁ ଅଢ଼େଇ ଘଣ୍ଟା କମିଯିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମାନୁସାରେ ଏହି ସୁଡ଼ଙ୍ଗଟିର ନାମ ରଖାଯାଇଛି । ୨୦୦୦ ମସିହା ଜୁନ୍ ୩ ତାରିଖ ଦିନ ସେ ଏହି ସୁଡ଼ଙ୍ଗ ପ୍ରକଳ୍ପର ଘୋଷଣା କରିଥିଲେ । ‘ବର୍ଡର ରୋଡ଼୍ ଅର୍ଗାନାଇଜେସନ୍’ କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ୨୦୧୧ରେ ସୁଡ଼ଙ୍ଗ ପାଇଁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବିଭିନ୍ନ ପ୍ରକାରର ଭୂତାତ୍ତ୍ୱିକ ସମସ୍ୟା ଆହ୍ୱାନ ହୋଇଥିଲା । ୨୦୧୫ ରେ ପ୍ରକଳ୍ପ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେରି ନାଳରୁ ଜଳ ପ୍ରବାହ, ପଥର ଖାଦାନ ଉପରେ ନିଷେଧାଦେଶ, ପଥର ଖାଦାନ ନିମନ୍ତେ ଜମି ଆବଣ୍ଟନ ଏବଂ ସୁଡ଼ଙ୍ଗ ପଥରେ ଥିବା ଶିଳାସ୍ତର ଯୋଗୁଁ ଖନନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସୁଡ଼ଙ୍ଗ ଖନନ ଲାଗି ୭୦୦ରୁ ଅଧିକ ଲୋକ ପର୍ଯ୍ୟାୟ ଭାବେ କାମ କରୁଛନ୍ତି । ଗତ ମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଯିବାର ଥିଲା । କିନ୍ତୁ ଭାରତ-ଚୀନ୍ ସେନା ସଂଘର୍ଷ ଯୋଗୁଁ ତାହା ସମ୍ଭବ ହେଲାନାହିଁ । ଏ ମାସ ଶେଷ ଆଡ଼କୁ ସେ ‘ଅଟଳ ସୁଡ଼ଙ୍ଗ’ ନିର୍ମାଣ ଦେଖିବାକୁ ଯିବାର କାର୍ଯ୍ୟକ୍ରମ ରହିଛି । ଯେକୌଣସି ପାଗରେ ଏହି ସୁଡ଼ଙ୍ଗ ପଥରେ ପ୍ରାୟ ୩୦୦୦ ଯାନବାହାନ ଚଳାଚଳ କରିପାରିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0