ନୟାଗଡ଼ : ପରୀକୁ ନ୍ୟାୟ ଦାବିରେ ଆରମ୍ଭ ହୋଇଥିବା ବିଜେପିର ପଦଯାତ୍ରା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଅନୁଜ ଦାସ, କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆ ଆହତ ହୋଇଛନ୍ତି । ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଖବର ପ୍ରସାରଣକୁ ନେଇ ଏଭଳି ଘଟିଥିବା ଆହତ ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି । ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ପରୀକୁ ନ୍ୟାୟ ପାଇଁ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ବିଜେପିର ପଦଯାତ୍ରା ଗୁରୁବାର ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ପହଁଚିଥିଲା । ଅପରାହ୍ଣରେ ପଦଯାତ୍ରା ଯଦୁପୁର ଗାଁର ପରୀ ଘର ନିକଟକୁ ଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିଥିଲା । ସେଥିରେ ନନ୍ଦିଘୋଷ ଟିଭିର ସାମ୍ବାଦିକମାନେ ମଧ୍ୟ ସାମିଲ ଥିଲେ । ଖବର ସଂଗ୍ରହ କରୁଥିବା ବେଳେ କୌଣସି କଥାକୁ ନେଇ ବିଜେପି କର୍ମୀ ଓ ନନ୍ଦୀଘୋଷ ଟିଭି ସାମ୍ବାଦିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଭିଡ଼ ଭିତରେ ଅତର୍କିତ ଆକ୍ରମଣ କରାଯାଇଥିଲା । ଫଳରେ ସାମ୍ବାଦିକ ଅନୁଜ ଓ ତାଙ୍କ କ୍ୟାମେରାମ୍ୟାନ ଆହତ ହୋଇଥିଲେ । ପୁଲିସ ପହଁଚି ଆହତ ସାମ୍ବାଦିକଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି । କିଏ ଓ କାହିଁକି ସାମ୍ବାଦିକଙ୍କୁ ଆକ୍ରମଣ କଲା, ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ତେବେ ଆକ୍ରମଣସ୍ଥଳରେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାଏ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଉପସ୍ଥିତ ଥିଲେ । ତେଣୁ ସେମାନଙ୍କ ଇଙ୍ଗିତରେ ଏଭଳି କରାଯାଇଥିବା ଅଭିଯୋଗ ହେଉଛି । ଏନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପକ୍ଷରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0