ପୁରୀ : ଥଣ୍ଡା ଅଞ୍ଚଳରେ ଆମେ ଅଙ୍ଗୁର ଫଳୁଥିବାର ଜାଣିଛୁ। କିନ୍ତୁ ପୁରୀ ଭଳି ଉପକୂଳର ଅଞ୍ଚଳରେ ଅଙ୍ଗୁର ଫଳିବା ପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପୁରୀର ଭୂଦାନ ନଗରର ଘନଶ୍ୟାମ ବେହେରା। ନିଜ ବାଡ଼ିରେ ଅଷ୍ଟ୍ରେଲିଆନ୍ କିସମ ଅଙ୍ଗୁର ଫଳାଇ କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିନାହାଁନ୍ତି, ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଘନଶ୍ୟାମଙ୍କ ବାଡ଼ିରେ ଫଳିଥିବା ଏହି ଅଙ୍ଗୁରକୁ ଦେଖିବା ପାଇଁ ବି ଦୈନିକ ଭିଡ଼ ଜମୁଛି।
ଭୂଦାନନଗର ବେହେରା ସାହିରେ ଘନଶ୍ୟାମଙ୍କ ଘର। ପେଶାରେ ସେ ଜଣେ ମତ୍ସ୍ୟଜୀବୀ। ଘନଶ୍ୟାମଙ୍କ କହିବା ମୁତାବକ, ପୂର୍ବରୁ ତାଙ୍କ ଘରେ ଜଣେ ବ୍ୟକ୍ତି ଭଡ଼ାରେ ରହୁଥିଲେ। ଘର ଛାଡ଼ି ଯିବା ସମୟରେ ଭଡ଼ାଟିଆ ଜଣକ ତାଙ୍କୁ ଏକ ଅଙ୍ଗୁର ଗଛ ଦେଇଥିଲେ। ସେହି ଅଙ୍ଗୁର ଗଛକୁ ସେ ଅତି ଯତ୍ନର ସହ ବଢ଼ାଇଥିଲେ। ଏବେ ଏଥିରେ ପେନ୍ଥା ପେନ୍ଥା ଅଙ୍ଗୁର ଫଳିଛି। ଏହି ଅଙ୍ଗୁର ଗଛ ପାଇଁ ସେ ଘର ପାଖରେ ଭାଡ଼ି କରିବା ସହ ଏହା ଉପରେ ଜାଲ ବିଛାଇ ଗଛ ମାଡ଼ିବାର ବ୍ୟବସ୍ଥା କରିଛନ୍ତି। ପେନ୍ଥା ପେନ୍ଥା ଏହି ଅଙ୍ଗୁର ଏବେ ଗଛରେ ଝୁଲି ରହିବା ସହ ଶୋଭାବର୍ଦ୍ଧନ କରୁଛି। ପ୍ରଥମ ଥର ପାଇଁ ଗଛରେ ଅଙ୍ଗୁର ଫଳିବା ଖୁସିରେ ଘନଶ୍ୟାମ ଆଖପାଖ ସାହି ପଡ଼ିଶାଙ୍କୁ ଏହାକୁ ବାଣ୍ଟୁଛନ୍ତି।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0