ଲକ୍ଷ୍ନୌ: ଦୀର୍ଘ ୨୮ ବର୍ଷ ପ୍ରତୀକ୍ଷା ପରେ ପ୍ରକାଶ ପାଇଛି ବାବ୍ରୀ ମସଜିଦ୍ ରାୟ । ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଠୋସ୍ ପ୍ରମାଣ ନଥିବାରୁ ହୋଇଛନ୍ତି ଦୋଷମୁକ୍ତ । ବାବ୍ରୀ ଭଙ୍ଗାଯିବାକୁ ଯୋଜନାପ୍ରସୂତ ନୁହେଁ ବୋଲି କହିଛନ୍ତି କୋର୍ଟ । ଏହା ସାମୟିକ ଆବେଗ ହୋଇପାରେ , କିନ୍ତୁ ଯୋଜନାପ୍ରସୂତ ନୁହେଁ । ସିବିଆଇ ଲଗାଇଥିବା ଆରୋପର କୌଣସି ପ୍ରମାଣ ନାହିଁ । ପ୍ରମାଣ ପାଇଁ ଦାଖଲ ଭିଡ଼ିଓ ଟ୍ୟାମ୍ପରିଂ ହୋଇଛି ବୋଲି କୋର୍ଟ କହିଛନ୍ତି । ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦ୍ ଭଙ୍ଗା ଯାଇଥିଲା । ଏହାକୁ ନେଇ ଉତ୍ତର ପ୍ରଦେଶରେ ବ୍ୟାପକ ସାଂପ୍ରଦାୟିକତା ଦଙ୍ଗା ହୋଇଥିଲା । ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣଙ୍କ ସାକ୍ଷ୍ୟ ଓ ୬୦୦ଟି ଦସ୍ତାବିଜ୍ କୋର୍ଟଙ୍କୁ ଦିଆଯାଇଥିଲା । ଏହି ମାମଲାରେ ମୋଟ ୪୯ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଏହା ଭିତରେ ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମହନ୍ତ ନୃତ୍ୟ ଗୋପାଳ ଦାସ, ସାକ୍ଷୀ ମହାରାଜ, ବିନୟ କଟିୟାର, ଧରମଦାସ, ବେଦାନ୍ତୀ, ଲାଲୁ ସିଂହ, ଚମ୍ପତ ରାୟ, ପବନ ପାଣ୍ଡେ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀ ପ୍ରମୁଖ ଥିଲେ ।
ସେପଟେ ଦୋଷମୁକ୍ତ ହେବାପରେ ରାୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ଆମ ପାଇଁ ଖୁସିର ବିଷୟ ବୋଲି ଏଲ କେ. ଆଡଭାନୀ କହିଛନ୍ତି । ମନୋହର ଯୋଶୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା କୌଣସି ଷଡ଼ଯନ୍ତ୍ର ନଥିଲା ଓ ସବୁକିଛି ଅଚାନକ ଘଟିଥିଲା ବୋଲି ସେ କହିଛନ୍ତି । କୋର୍ଟର ରାୟ ପରେ ଏ ବିବାଦ ସମାପ୍ତ ହେବା ଦରକାର ବୋଲି ସେ କହିଛନ୍ତି । ରାୟ ପ୍ରକାଶ ପାଇବା ପୂର୍ବରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0