ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ପୁଣିଥରେ କ୍ଷମତାକୁ ଆସିବା ପରଠାରୁ ଅନେକ ବଡ଼ ବଡ଼ ନେତା ଏବେ ଏହି ପାର୍ଟି ଆଡ଼କୁ ମୁହାଁଉଛନ୍ତି। ଏବେ ଏଥିରେ ଆଉ ଜଣେ ବଡ଼ ନେତାଙ୍କ ନାଁ ସାମିଲ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେପି ସାଂସଦ ବରୁଣ ଗାନ୍ଧି ଟିଏମସିରେ ସାମିଲ୍ ହେବାର ସମ୍ଭାବନା ଦେଖା ଦେଇଛି। ଆସନ୍ତା ସପ୍ତାହରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ମମତାଙ୍କ ସହ ବରୁଣ ଗାନ୍ଧି ସାକ୍ଷାତ କରିବେ। ଟିଏମସିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ‘ବରୁଣ ଗାନ୍ଧି ଏବେ ବିଜେପି ଛାଡ଼ିବା ନେଇ ବିଚାର କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଏକ ନୂଆ ରାଜନୀତିକ ମଞ୍ଚର ଆବଶ୍ୟକତା ରହିଛି। କଂଗ୍ରେସକୁ ଯିବା ତାଙ୍କ ପକ୍ଷେ ଅସମ୍ଭବ ଲାଗୁଛି। ଏପରି ସ୍ଥିତିରେ ସେ ଟିଏମସିର ଯୋଗାଯୋଗରେ ଅଛନ୍ତି।’ ସୂଚନାଯୋଗ୍ୟ, ନିକଟରେ ବରୁଣ ଗାନ୍ଧି ଲଖିମପୁର ହିଂସାର କଡ଼ା ନିନ୍ଦା କରିଥିଲେ। ମହାତ୍ମା ଗାନ୍ଧି ଜୟନ୍ତୀରେ ନାଥୁରାମ ଗଡସେଙ୍କ ବିରୋଧରେ ମଧ୍ୟ ସ୍ୱର ଉଠାଇଥିଲେ। ଏହା ପୂର୍ବରୁ ସୁସ୍ମିତା ଦେବୀ, ବାବୁଲ ସୁପ୍ରିୟୋ, ଲୁଇଝିନୋ ଫାଲେରୋ ଓ ଲିଆଣ୍ଡର୍ ପେସ ଟିଏମସିରେ ସାମିଲ୍ ହୋଇଥିଲେ। ତେବେ ବରୁଣ ଗାନ୍ଧି ବିଜେପି ଛାଡ଼ି ଟିଏମସିରେ ସାମିଲ ହେବେ କି ନାହିଁ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ହେଲେ ଗତ କିଛି ଦିନ ହେବ ବରୁଣ ଗାନ୍ଧି ବିଜେପି ଉପରେ ଅସନ୍ତୋଷ ଥିବା ଦେଖିବାକୁ ମିଳୁଛି। ତାଙ୍କ ମା’ ମେନକା ଗାନ୍ଧି ଓ ତାଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ମିଳିନାହିଁ। ଯେଉଁ କାରଣରୁ ଦୁହେଁ ବିଜେପି ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0