spot_img

ବିହାର ବିଧାନସଭା ନିର୍ବାଚନ: ସରିଲା ଏନଡିଏର ଆସନ ବୁଝାମଣା

ପାଟନା: ଆସନ୍ତା ଅକ୍ଟୋବର ୨୮ରୁ ଆରମ୍ଭ ହେବ ବିହାର ବିଧାନସଭା ନିର୍ବାଚନ । ବହୁ ବାଦ ବିବାଦ ପରେ ଏନଡିଏ ମେଣ୍ଟରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଏନେଇ ଔପଚାରିକ ଘୋଷଣା ନହୋଇଥିଲେ ମଧ୍ୟ ବିହାରର ମୋଟ ୨୪୩ଟି ବିଧାନସଭା ଆସନ ମଧ୍ୟରୁ ୧୧୨ ଟି ଆସନରେ ବିଜେପି ଓ ୧୧୫ ଟି ଆସନରେ ଜେଡିୟୁ ପ୍ରାର୍ଥୀ ଦେବା ନେଇ ସ୍ଥିର ହୋଇଛି । ୨୦୧୦ ରେ ବି ବିଜେପି ଓ ଜେଡିୟୁ ବିହାର ବିଧାନସଭା ନିର୍ବାଚନ ମିଳିତ ଭାବେ ଲଢିଥିଲେ । ସେତେବେଳେ ଜେଡିୟୁ ୧୪୧ ଓ ବିଜେପି ୧୦୨ ଆସନରେ ପ୍ରାର୍ଥୀ ଦେଇଥିଲେ । ଏହି ନିର୍ବାଚନରେ ଜେଡିୟୁ ୧୧୫ ଓ ବିଜେପି ୯୧ ଟି ଆସନରେ ବିଜୟଲାଭ କରିଥିଲେ । ସୂଚନା ଥାଉକି ବିହାର ବିଧାନସଭା ପାଇଁ ଭୋଟ ଗ୍ରହଣ ୨୮ ଅକ୍ଟୋବରରୁ ଆରମ୍ଭ ହେବ । ଏଥିରେ ମୁଖ୍ୟତ ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ଲଢେଇ ହେବ । ସେପଟେ ମହାଗଠବନ୍ଧନରେ ଆରଜେଡି ୧୪୪, କଂଗ୍ରେସ ୭୦ ଓ ବାମଦଳ ୨୯ ଟି ଆସନରେ ପ୍ରାର୍ଥୀ ଦେବା ନେଇ ସ୍ଥିର ହୋଇଛି ।
ଏନଡିଏ ସହିତ କେନ୍ଦ୍ରରେ ମେଣ୍ଟ କରିଥିବା ରାମବିଳାଶ ପଶୱାନଙ୍କ ପାର୍ଟି ଏଲଜେପି କିନ୍ତୁ ଏହି ବିଧାନସଭା ନିର୍ବାଚନରେ ଏନଡିଏ ସହିତ ମେଣ୍ଟ ନକରି ଏକା ନିର୍ବାଚନ ମୈଦାନକୁ ଉହ୍ଲାଇବ ବୋଲି ଜଣାପଡିଛି । ଏଲଜେପି ରାଜ୍ୟମୁଖ୍ୟ ଚିରାଗ ପଶୱାନ କହିଛନ୍ତି କି ସେ ବିଜେପି ବିରୋଧରେ ନୁହେଁ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବ । ଏଲଜେପି ୧୪୩ ଟି ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଛି । କିନ୍ତୁ ବିଜେପିକୁ ସମର୍ଥନ କରିବ । କହିରଖୁ କି ବିହାରରେ ୩ ଟି ପର୍ୟ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ୟ୍ୟାୟ ୨୮ ଅକ୍ଟୋବର, ୨ୟ ପର୍ୟ୍ୟାୟ ୩ ନଭେମ୍ବର ଓ ତୃତୀୟ ପର୍ୟ୍ୟାୟ ୭ ନଭେମ୍ବରକୁ ହେବ । ୧୦ ନଭେମ୍ବରକୁ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ସେପଟେ ୨୦୧୫ ରେ ହୋଇଥିବା ବିଧାନସଭା ନିର୍ବାଚନରେ ଆରଜେଡିକୁ ୮୦, ଜେଡିୟୁକୁ ୭୧, ବିଜେପିକୁ ୫୩ ଓ କଂଗ୍ରେସକୁ ୨୭ ଟି ଆସନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular