ଭୁବନେଶ୍ୱର : ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଏ। ଏଥର ଏହି କାର୍ୟ୍ୟକ୍ରମକୁ ଭିନ୍ନ ଢଙ୍ଗରେ ଆୟୋଜନ କରାଯାଇଛି। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି କୋଭିଡ୍ ଜନସଚେତନତା ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି। ଏହା ଏକ ମାସ ଧରି ଚାଲିବ। ବିଜେଡି ନେତା ଓ କର୍ମୀମାନେ ଗାଁ ଗାଁ ବୁଲି କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଲୋକଙ୍କୁ ସଚେତନ କରାଇବେ। ଆଜି ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯିବା ସହ କୋଭିଡ୍ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଜନ ସଚେତନତା ଅଭିଯାନ, ମାସ୍କ ବଣ୍ଟନ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତେ ଶପଥ ନେଇଥିଲେ। ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ, ବିରଞ୍ଚି ମହାସୂପକାର, ଲିଟୁ ମହାପାତ୍ର, ଦୁର୍ଗା ସାମନ୍ତରାୟ, ନବକିଶୋର ବେହେରାଙ୍କ ସମେତ ଯୁବ, ଛାତ୍ର, ମହିଳା ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହା ପରେ ଏକାମ୍ର ନିର୍ବାଚନମଣ୍ଡଳୀର ଝରଣା ସାହି ବସ୍ତି, ମଧ୍ୟ ନିର୍ବାଚନମଣ୍ଡଳୀର ଡମସାହି ବସ୍ତି ଓ ଉତ୍ତର ନିର୍ବାଚନମଣ୍ଡଳୀର ଗାନ୍ଧୀ ବସ୍ତିରେ ସଚେତନତା ଅଭିଯାନ କରାଯିବା ସହ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।ଏହା ସହ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ସ୍ତରରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରାଯାଇଛି। କୋଭିଡ୍ ନିୟମ ପାଳନ କରିବା, ନମୁନା ପରୀକ୍ଷାରେ ସହଯୋଗ କରି ଠିକ୍ ସମୟରେ ଚିକିତ୍ସା କରାଇବା, ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜ୍ମା ଦାନ କରିବା ଆଦି ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରାଯାଉଛି।