ତିର୍ତ୍ତୋଲ : ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ଜୋର ଧରିଛି ସେତୁ ରାଜନୀତି। ରାଜ୍ୟ ସରକାର ଦୁଇ ଦିନ ତଳେ ମହାନଦୀରେ ତିର୍ତ୍ତୋଲ-ପୋସଲ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ମହାନଦୀରେ କୋଟକଣା-ବାନାମ୍ବର ସେତୁ ପାଇଁ ଦାବି ଜୋର ଧରିଛି। ୨୦୦୫ରୁ ଏହି ସେତୁ ପାଇଁ ଦାବି ହୋଇ ଆସୁଥିଲେ ବି ଏଯାଏ ଏହା ପୂରଣ ହୋଇ ନଥିବାରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏଥିପାଇଁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଂଚାୟତ କୋଟକଣା କାଳି ପଡ଼ିଆଠାରେ କୋଟକଣା–ବାନାମ୍ବର ସେତୁ କମିଟି ପକ୍ଷରୁ ଆବାହକ ଇଂ ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ବରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କୋଟକଣା – ବାନାମ୍ବର ସେତୁ ପାଇଁ ୨୦୦୫ ମସିହାରୁ ଦାବି ହୋଇ ଆସୁଥିବାବେଳେ ୨୦୧୩ ମସିହାରେ ଏହାକୁ ନେଇ ସଂଗଠିତ ଦାବି ଉପସ୍ଥାପିତ ହୋଇଥିଲା। ଏଠାରେ ସେତୁ ନିର୍ମାଣ କରାଗଲେ ଝଙ୍କଡ଼ର ମା ଶାରଳାଙ୍କ ପୀଠ, ଗୋରଖନାଥ ପୀଠ, ମା ଦିଗବାରୁଣୀ ପୀଠ, ସିଦ୍ଧ ବାନାମ୍ବର ପୀଠ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିର ସହିତ ସିଧାସଳଖ ଗମନା ଗମନର ସୁବିଧା ହେବ। ଦୁଇଟି ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ବିକାଶ ହେବା ସହିତ ବିଭିନ୍ନ ଦେବାଦେବୀ ମନ୍ଦିରକୁ ପର୍ୟ୍ୟଟନସ୍ଥଳୀ ମାନ୍ୟତା ମିଳିପାରିବ ବୋଲି କୁହାଯାଇଛି। ତାରପୁର ଓ ତାରୋତଲ ମହାନଦୀରେ ହୋଇଥିବା ସେତୁର ମଧ୍ୟସ୍ଥଳୀ ହେଉଛି କଟକ –ପାରାଦୀପ ରାସ୍ତାର ମହାନଦୀ କୋଟକଣା–ବାନାମ୍ବର। ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବାସ୍ତବ ସ୍ଥିତିର ଅନୁଧ୍ୟାନ କରି ନିଷ୍ପତ୍ତି ନ ନେଲେ କଟକ–ପାରାଦୀପ ରାସ୍ତା କୋଟକଣା ଛକରେ ଆସନ୍ତା ୨୯ ତାରିଖରେ ଆନ୍ଦୋଳନ ହେବ ବୋଲି ସେତୁ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।