ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା କୃଷି ବିଲକୁ ସାରା ଦେଶରେ ବିରୋଧ କରାଯାଉଛି । ଦିଲ୍ଲୀ , ହରିୟାଣା, ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶ ଆଦି କ୍ଷେତ୍ରରେ ଏହା ଅତି ଉତ୍କଟ ରୂପ ଧାରଣ କରିଛି । ଆଜି ସକାଳେ ଦିଲ୍ଲୀର ରାଜପଥରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ । ଦିଲ୍ଲୀ ପୁଲିସର କହିବା ମୁତାବକ ସକାଳ ପ୍ରାୟ ୭ ଟାରେ ୧୫-୨୦ ଜଣ ଲୋକ ଇଣ୍ଡିଆ ଗେଟ୍ ପାଖକୁ ଆସିଥିଲେ । ସେମାନେ ଟ୍ରାକ୍ଟରରେ ନିଆଁ ଲଗାଇବା ପରେ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଟ୍ରାକ୍ଟରକୁ ହଟେଇଥିଲେ । ଏବେ ପୁଲିସ ମାମଲାର ଯାଞ୍ଚ କରୁଛି । ସିସିଟିଭି ଫୁଟେଜ ସାହାଯ୍ୟରେ ନିଆଁ ଲଗାଇଥିବା ଲୋକମାନଙ୍କୁ ଖୋଜାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।