ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ଆର୍ଥିକ ବର୍ଷର ନିଜ ସମ୍ପତ୍ତିର ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା। ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ଏକ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା । ଦିଲ୍ଲୀର ପାର୍ଲାମେଂଟ ହାଉସ ଏସବିଆଇ ଶାଖାରେ ଅଛି ଏକ ହଜାର ୮ଶହ ୧୮ ଟଙ୍କା । ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା। ନିଜ ନିର୍ବାଚନମଣ୍ଡଳୀରେ ହିଞ୍ଜିଳିରେ ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା। ନିର୍ବାଚନ ଉଦ୍ଦେଶ୍ୟରେ ଏହାକୁ ୨୦୧୪ ମସିହାରେ ଖୋଲାଯାଇଥିଲା। ଏହି ଶାଖାରେ ହିଁ ଅନ୍ୟ ଏକ ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ଅଛି। ଏହା ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିଲା। ସେହିଭଳି ବରଗଡ଼ ଏସବିଆଇ ଶାଖାରେ ୩୭ ହଜାର ଟଙ୍କା ଅଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା ରହିଛି। ତାଙ୍କ ପାଖରେ ଥିବା ୧୯୮୦ ମସିହାର ଆମ୍ବାସଡର କାରର ମୂଲ୍ୟ ପ୍ରାୟ ୮ ହଜାର ୯ଶହ ୫ଟଙ୍କା। ସେହିଭଳି ଦିଲ୍ଲୀ ଫରିଦବାଦରେ ଥିବା ଜମି ବିକ୍ରି ଲାଗି ନବୀନ ଅଗ୍ରୀମ ଆଣିଛନ୍ତି ୧ କୋଟି ୨୫ ଲକ୍ଷ। ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ଜମି ଓ କୋଠା ଅଛି। ଫରିଦାବାଦରେ ଥିବା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ବୋଲି ନବୀନ ଦର୍ଶାଇଛନ୍ତି। ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କର ଦୁଇ-ତୃତୀୟାଂଶ ସେୟାର ରହିଛି। ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ସମ୍ପତ୍ତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି। ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ବୋଲି କୁହାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0