ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ।
ଏହାସହିତ ରାଜ୍ୟର୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାସହିତ କୋଭିଡ ଯୁଦ୍ଧରେ ଆଗରେ ରହି କାର୍ୟ୍ୟ କରୁଥିବା ଯୋଦ୍ଧାମାନଙ୍କର ମନୋବଳକୁ ଦୃଢ ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ୟ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଭିଡ ଯୋଦ୍ଧାଙ୍କ ସହିତ କଥାବର୍ତ୍ତା କରୁଛନ୍ତି । ମୃତ୍ୟୁବରଣ କରୁଥିବା କୋଭିଡ ରୋଗୀଙ୍କ ମୃତଦେହକୁ ମର୍ୟ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ କୋଭିଡ ଯୋଦ୍ଧାମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ସମୀକ୍ଷାରୁ ଜଣାଯାଇଛି ଯେ ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା, ଆଦି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବାଆସିବା ବୃଦ୍ଧି କାରଣରୁ ପରିସ୍ଥିତି ଆହ୍ବାନମୂଳକ ରହିଛି। ତେଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍ କରାଯାଇ ପଦକ୍ଷେପ ନିଆଯାଇଛି।
ଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍ସ, ଶଯ୍ୟା ଆଦିର ବ୍ୟବସ୍ଥା କରି ସମସ୍ତ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଥିବା ସମସ୍ତ ନୀତି ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଥିବା ଆହ୍ବାନର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0