ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ରାମ ମନ୍ଦିର ପାଇଁ ସବୁବେଳେ ବିଜେପି ଓ ଆରଏସଏସକୁ ଘେରୁଥିବା କଂଗ୍ରେସ ସାଂସଦ ଦିଗ ବିଜୟ ସିଂହଙ୍କୁ ଆଜି ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ସେ ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜରିଆରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ୧,୧୧, ୧୧୧ ଟଙ୍କା ଦାନ କରିଛନ୍ତି।ଜାନୁଆରୀ ୧୫ରୁ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହା ଫେବୃଆରୀ ୨୭ ଯାଏ ଚାଲିବ। ଏହି ସମୟରେ ଏକାଧିକ ବାଦାନ୍ୟ ବ୍ୟକ୍ତି ଓ ସଂଗଠନ ରାମ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା କରୁଛନ୍ତି। ଅଭିଯାନ ସମୟରେ ବିଶ୍ୱ ହିନ୍ଦୁ ପରିଷଦ ଓ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରାୟ ୫ ଲକ୍ଷ ୫୦ ହଜାର କାର୍ୟ୍ୟକର୍ତ୍ତା ଗାଁ ଗାଁ ବୁଲି ୧୩ କୋଟି ଲୋକଙ୍କ ଠାରୁ ଆର୍ଥିକ ଅନୁଦାନ ଗ୍ରହଣ କରିବେ।ଏହି କ୍ରମରେ ଦିଗ ବିଜୟ ସିଂହ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେଇଛନ୍ତି। ସେ ଚାନ୍ଦାର ଚେକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜରିଆରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିକଟକୁ ପଠାଇଛନ୍ତି। ଏଥିସହ ସେ ମୋଦିଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି।ଏଥିରେ ସେ ବିଶ୍ୱ ହିନ୍ଦୁ ପରିଷଦ ପୂର୍ବରୁ ରାମ ମନ୍ଦିର ନିର୍ମାଣ ପାଇଁ ଆଦାୟକ କରିଥିବା ଅର୍ଥର ବିସ୍ତୃତ ତଥ୍ୟ ସାର୍ବଜନୀନ କରୁ ବୋଲି ଦାବି କରିଛନ୍ତି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0