ଭୁବନେଶ୍ବର : କେନ୍ଦ୍ର ସରକାର ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ସହ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ରାଜ୍ୟ କଂଗ୍ରେସ ପକ୍ଷରୁ ୧୫ ତାରିଖରେ ରାଜଭବନ ଘେରାଉ କରାଯିବ। ପାୱାରହାଉସ ଛକରୁ ଏକ ଶୋଭାଯାତ୍ରା ବାହାରି ରାଜଭବନ ଅଭିମୁଖେ ଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୋଦୀ ସରକାର ପ୍ରଣୟନ କରିଥିବା ତିନିଟି କଳା କୃଷି ଆଇନ ଯୋଗୁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଏହି କଳା ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷାଧିକ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି। ଏହି ସମୟରେ ଅନ୍ନଦାତାଙ୍କ ପଛରେ ଦୃଢ଼ ଭାବେ ଠିଆ ହେବାକୁ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କୁ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆହ୍ବାନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ରେକର୍ଡ କରିଛନ୍ତି, ଯାହା କି ୭୩ ବର୍ଷ ଇତିହାସରେ ପ୍ରଥମ। ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ପେଟ୍ରୋଲ ଉପରେ ଶୁଳ୍କ ଲିଟର୍ ପ୍ରତି ୯ ଟଙ୍କା ୨୦ ପଇସାରୁ ବୃଦ୍ଧି କରି ୩୨ ଟଙ୍କା ୯୮ ପଇସାରେ ପହଞ୍ଚାଇଛନ୍ତି। ସେହିପରି ଡିଜେଲ୍ ଉପରେ ଶୁଳ୍କ ଲିଟର ପ୍ରତି ୩ଟା ୪୬ ପଇସାରୁ ବୃଦ୍ଧି କରି ୩୧ ଟଙ୍କା ୮୩ ପଇସାରେ ପହଞ୍ଚାଇଛନ୍ତି। ଯେତେବେଳେ ଅଶୋଧିତ ତୈଳର ଦର ବ୍ୟାରେଲ୍ ପିଛା ୧୧୦ ଡଲାର କମି ୫୦ ଡଲାରରେ ପହଞ୍ଚିଛି, େସତେବେଳେ ଉପରୋକ୍ତ ଦର ବୃଦ୍ଧି ଯୋଗୁ ମୋଦୀ ସରକାର ୧୯ ଲକ୍ଷ କୋଟି ଟଙ୍କା ପେଟ୍ରୋଲ ଓ ଡିଜେଲ୍ରୁ ଆଦାୟ କରିଛନ୍ତି। ଏହା କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇଛି। ୧୫ ତାରିଖ ରାଜଭବନ ଘେରାଉ କାର୍ୟ୍ୟକ୍ରମରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗ ଦେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0