spot_img

ଠିକାଦାରଙ୍କ ଶିକାରରେ ନିରୀହ ଆଦିବାସୀ

ଉମରକୋଟ : ଠକ ଠିକାଦାରଙ୍କ ଶିକାର ହେଉଛନ୍ତି ନିରୀହ ଆଦିବାସୀ । ଗରିବାଆଦିବାସୀଙ୍କ ପାଇଁ ସରକାରଙ୍କ ତରଫରୁ ବହୁ ଯୋଜନା ହେଉଛି । କିନ୍ତୁ ଆଦିବାସୀ ହିତାଧିକାରୀଙ୍କ ସରଳତା ଓ ଅସଚେତନତା ଯୋଗୁଁ ସେମାନେ କିଛି ଠିକାଦାରଙ୍କ ଶୋଷଣର ଶିକାର ହେଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବିଭିନ୍ନ ପଞ୍ଚାୟତରେ ।

ନିଜ ନାଁରେ ଆବାସ ଗୃହ ଥାଇ ବି ବୃଦ୍ଧ ରହୁଛନ୍ତି କୁଡିଆ ଘରେ । ଏହି ବୃଦ୍ଧ ହେଉଛନ୍ତି ବଡଭରଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗାଈଝରି ଗ୍ରାମର ଡାଲିମ୍ବ ଖରା । ତାଙ୍କ ନାଁରେ ଆବାସ ଗୃହ ପାଇଁ ଆସିଥିବା ଟଙ୍କାକୁ ସେ ଜଣେ ଠିକାଦାରକୁ ଦେଇଥିଲେ । ଗତ ଚାରି ବର୍ଷ ହେବ ଏକ ଲକ୍ଷ ଟଙ୍କା ନେଇ ବିଷ୍ଣୁ ନାମକ ଜଣେ ଠିକାଦାର ତାଙ୍କୁ ଠକି ଚାଲିଛି । ସେପଟେ ଘର କାମ ଅଧପନ୍ତରିଆ ଭାବେ ପଡିରହିଛି । କେବଳ କାନ୍ଥ ଉଠିଛି, ହେଲେ ନା କବାଟ ଝରକା ଲାଗିଛି ନା ଛାତ ପଡିଛି । ବାରମ୍ବାର କହିବା ସତ୍ତ୍ୱେ ବି ଗୃହ କାମ କରୁନାହିଁ ଠିକାଦାର । ଆଜି କାଲି କରିଦେବା କହି ଠକି ଚାଲିଛି ଠିକାଦାର । ଖାଲି ଡାଲିମ୍ବ ନୁହଁନ୍ତି, ଏପରି ଅନେକ ଗରିବ ହିତାଧିକାରୀ ଏପରି ଠକ ଠିକାଦାରଙ୍କ ଶିକାର ହୋଇଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ଗୃହ ନିର୍ମାଣ ଟଙ୍କା ସିଧାସଳଖ ଆକାଉଣ୍ଟରେ ଦେଇ ନିଜ ଦାୟିତ୍ୱ ସାରିଦେଇଛନ୍ତି ।

କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇବାର ପରିକଳ୍ପନା କରି ଯୋଜନା କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ । କିଛି ଠକ ଠିକାଦାର ଘର କରିଦେବାକୁ କହି ଗରିବ ଆଦିବାସୀଙ୍କୁ ଲୁଟୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଲେ ଯୋଜନାର ସୁଫଳ ମିଳି ପାରିଥାନ୍ତା । ଗୃହ ନିର୍ମାଣ ପାଇଁ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଇଥାଏ । ହିତାଧିକାରୀ କାହାକୁ ଟଙ୍କା ଦେବେ ସେଥିପାଇଁ ହିତାଧିକାରୀ ହିଁ ଦାୟୀ ରହିବ । ଯଦି ଠିକାଦାର କାମ କରୁ ନାହାନ୍ତି ତେବେ ହିତାଧିକାରୀ ଆଇନର ଆଶ୍ରୟ ନେଇ ପାରିବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular