ଏଣିକି କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଦୋକାନୀ ହୁଅନ୍ତୁ ବା ସାଧାରଣ ଲୋକ । ଯେଉଁଠି ନିୟମ ଉଲ୍ଲଙ୍ଘନ କରୁଥିବା ନଜରକୁ ଆସିବେ, ସେହି ସ୍ଥାନରେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ପୁଲିସ୍ ସେବା ଭବନରେ ପୁଲିସ୍ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏପରି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର କମିସନରେଟ୍ ପୁଲିସ ଅଞ୍ଚଳରେ ଥିବା ୬ ଜୋନରେ ୨୪ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇଛି। ସେଠାରେ ତୀକ୍ଷ୍ଣ ନଜର ରଖାଯିବ। ଏହାର ପରିଚାଳନା ପାଇଁ ୩ଜଣ ଡିସିପି ଓ ୨୪ଜଣ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ୧୪ ସେକ୍ସନ ଫୋର୍ସକୁ ନେଇ ଗଠିତ ଏହି ଟିମ୍ ଆଜି ଗୋଟିଏ ଦିନରେ ୭୨୪ ଜଣଙ୍କଠାରୁ ୭୮ ହଜାର ୨୨୨ଟଙ୍କା ଆଦାୟ କରିଛି। ସେଥିମଧ୍ୟରେ ୨୨୨ଜଣ ଦୋକାନୀ ଓ ୫୦୨ଜଣ ସାଧାରଣ ଲୋକ ଥିବା ଜଣାଯାଇଛି। ଜୋନ୍-୧ ଓ ୨ ଦାୟିତ୍ବରେ ଡିସିପି ନିର୍ମଳ ଶତପଥୀ ରହିଥିବା ବେଳେ ଜୋନ୍-୪ ଓ ୫ ଦାୟିତ୍ବରେ ନବନିଯୁକ୍ତ ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର ରହିଛନ୍ତି। ଜୋନ୍ ୩ ଓ ୬ ଦାୟିତ୍ବରେ ଡିସିପି ବିଜୟ କୁମାର ସାହୁ ରହିଛନ୍ତି। ୧ ନମ୍ବର ହାଟ, ମାର୍କେଟ୍ ବିଲ୍ଡିଂ, ସୁନ୍ଦରପଦା ହାଟ, ଭିଏସ୍ଏସ୍ ନଗର ହାଟ, ପଳାସୁଣି, ଇନ୍ଦ୍ରଧନୁ ମାର୍କେଟ୍, ପ୍ରିୟଦର୍ଶିନୀ ମାର୍କେଟ୍, ପଟିଆ ହାଟ ପ୍ରମୁଖ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଏଠାରେ ମାସ୍କ, ସାମାଜିକ ଦୂରତା ଓ ପାନ ଛେପ ଏଣେ ତେଣେ ଫିଙ୍ଗିବା ଉପରେ କାର୍ୟ୍ୟାନୁଷ୍ଠାନ ହେବ। ଆଜି ଅପରାହ୍ଣରୁ ଏହି ଚଢ଼ଉ ଆରମ୍ଭ ହେବା ସହ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0