ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନରେ ଲଗାତାର ହଟ୍ଟଗୋଳ ଓ ମୁଲତବୀ ପରେ ଆଜି ଗୃହକାର୍ୟ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି କ୍ରମରେ କରୋନା ଲକଡାଉନ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି ସେ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଗତ କରୋନା କାଳରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ଅପରାଧ ପଞ୍ଜିକୃତ ହୋଇଛି । ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ଅଥାର୍ତ ୧୦ ମାସ ମଧ୍ୟରେ ରାଜ୍ୟରେ ୧ ଲକ୍ଷ ୧୩ ହଜାର ୪୧୦ଟି ଅପରାଧ ପଞ୍ଜିକୃତ ହୋଇଛି । ଆଉ ଏହି ଘଟଣାରେ ୫୧,୬୧୭ ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ଏହି ୧୦ ମାସ ମଧ୍ୟରେ କୋଭିଡ ନିୟମ ଉଲ୍ଳଂଘନ କରିଥିବା ଅମାନିଆଙ୍କଠାରୁ ୪୮ କୋଟି ୪୯ ଲକ୍ଷ ୪୮ ହଜାର ୩୭୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ଏହାଛଡା ରାଜ୍ୟରେ ବଢୁଥିବା ସାଇବର ଅପରାଧକୁ ନେଇ ବଡ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୨୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି । ୨୦୧୮ରେ ୮୬୭, ୨୦୧୯ରେ ୧୪୭୫ ଓ ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଛି । ଯାହା ମଧ୍ୟରୁ ୧୩୧୯ଟି ମହିଳାଙ୍କ ସମ୍ମାନହାନି ଭଳି ମାମଲା ଆସିଥିବା ବେଳେ ୨୭୦୪ଟି ଠକେଇ ମାମଲା ଆସିଛି । ଆଉ ଏହି ଘଟଣାରେ ୯୭୪ ଜଣଙ୍କୁ ଗିରଫ କରାଯାଇଛି ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0