ନିମାପଡା: କରୋନା ପାଇଁ ହଜିଗଲା ମାନବିକତା। ୪ ଘଣ୍ଟାରୁ ଅଧିକ ସମୟ ରାସ୍ତାରେ ପଡ଼ିରହିଲା କରୋନାରେ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ମୃତଦେହ। ଗତକାଲି ବିଳମ୍ବିତ ରାତିରେ ନିମାପଡ଼ା କଲେଜ କୋଭିଡ୍ କେୟାର ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସେପଟେ ଆକ୍ରାନ୍ତ ଓ ପରିବାର ଲୋକେ ଉତ୍ତମ ଚିକିତ୍ସା ପାଇଁ ପୁରୀ ଅବା ଭୁବନେଶ୍ୱରକୁ ପଠାଇବାକୁ ବାରମ୍ବାର ନିବେଦନ କରିଥିଲେ। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ କଥା ଶୁଣିନଥିଲେ। ଯେଉଁଥିପାଇଁ ବୃଦ୍ଧ ଜଣକ ଛଟପଟ ହୋଇ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗତକାଲି ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ମିଳିଥିବା ସୂଚନା ମୁତାବକ, ନିମାପଡ଼ା କାଜିପାଟଣାର ମହେଶ୍ବର ସ୍ବାଇଁ କରୋନା ଚିହ୍ନଟ ହେବାପରେ ଗତ ରବିବାର ତାଙ୍କୁ ସ୍ଥାନୀୟ ନିମାପଡ଼ା କଲେଜରେ ଥିବା କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ରହିବାର ଦିନକ ପରେ ମହେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। ଏଥିପାଇଁ ପରିବାର ଲୋକେ ମହେଶ୍ବରଙ୍କୁ ପୁରୀ ଅବା ଭୁବନେଶ୍ବର ପଠାଇ ଦେବାକୁ ନିବେଦନ କରିଥିଲେ। କିନ୍ତୁ ଡାକ୍ତରଖାନା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ଅନ୍ୟତ୍ର ପଠାଇବାର ବ୍ୟବସ୍ଥା କରିନଥିଲେ। ଶଯ୍ୟା ଖାଲି ନାହିଁ କହି ସେହିଠାରେ ହିଁ ତାଙ୍କର ଚିକିତ୍ସା ଜାରି ରଖିଥିଲେ। ଗତକାଲି ଅପରାହ୍ଣ ୪ଟାରେ ମହେଶ୍ବରଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଅକ୍ସିଜେନ୍ ଦିଆଯାଇଥିଲେ ବି ସେ ନିଃଶ୍ବାସପ୍ରଶ୍ବାସ ନେଇ ପାରିନଥିଲେ। ରାତି ପ୍ରାୟ ୭ଟାରେ ଯେତେବେଳେ ମହେଶ୍ବରଙ୍କୁ ଆମ୍ବୁଲାନ୍ସରେ ପୁରୀ ନେବାର ବ୍ୟବସ୍ଥା କରାଯାଉଥିଲା, ସେହି ସମୟରେ ତାଙ୍କର ପ୍ରାଣ ଚାଲି ଯାଇଥିଲା। ମହେଶ୍ବରଙ୍କ ମୃତ୍ୟୁ ପରେ କୋଭିଡ୍ କେୟାର ସେଣ୍ଟର ବାହାରେ ରାସ୍ତା ଉପରେ ତାଙ୍କୁ ଗଡ଼ାଇ ଦିଆଯାଇଥିଲା। ଦୁଇ ଘଣ୍ଟାରୁ ଅଧିକ ସମୟ ସେହିଭଳି ମୃତଦେହ ପଡ଼ିରହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ବ୍ୟକ୍ତି ଅକ୍ସିଜେନ୍ ସିଲିଣ୍ଡରକୁ ବି ବାହାରେ ଫିଙ୍ଗାଫୋପଡ଼ା କରିଥିଲେ। ଚିକିତ୍ସା ଅବହେଳାକୁ ଦାୟୀ କରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ। ତହସିଲଦାର, ପୁଲିସ ପହଞ୍ଚି ବୁଝାସୁଝା କରିବା ସହ ରାତି ପ୍ରାୟ ୧୧ଟାରେ ସରକାରୀ ଗାଇଡ୍ଲାଇନ୍ ଅନୁଯାୟୀ ଶବ ସତ୍କାର ବ୍ୟବସ୍ଥା କରିଥିଲେ ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0