ତାମିଲନାଡୁ ହେଲିକପ୍ଟର କ୍ରାଶ ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବେଙ୍ଗାଲୁରୁର ସେନା ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଡିସେମ୍ବର ୮ରେ କୁନ୍ନୁର ଠାରେ ଘଟିଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରୁ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଏକମାତ୍ର ଜୀବିତ ବ୍ୟକ୍ତି ଭାବେ ଉଦ୍ଧାର ହୋଇଥିଲେ।ପ୍ରଥମେ ତାଙ୍କୁ ୱେଲିଂଟନ ପରେ ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଥିଲା। ବେଙ୍ଗାଲୁରୁରେ ସବୁ ପ୍ରକାରର ଚିକିତ୍ସା ସୁବିଧା ସତ୍ତ୍ୱେ କ୍ୟାପ୍ଟେନ ବରୁଣ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବୁଧବାର ସିଡିଏସ୍ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ମୋଟ ୧୪ ଜଣ ସୁଲୁର ଏୟାରବେସ୍କୁ ୱେଲିଂଟନ ଯାଉଥିଲେ। ହେଲେ ଲ୍ୟାଣ୍ଡ କରିବାର ୭ ମିନିଟ ପୂର୍ବରୁ ହେଲିକପ୍ଟର କ୍ରାଶ କରି ଯାଇଥିଲା। ଏଥିରେ ସିଡିଏସଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ କ୍ୟାପ୍ଟେନ ବରୁଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ସେଠାରୁ ତାଙ୍କୁ ୱେଲିଂଟନ ମିଲିଟାରୀ ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଗୋଟିଏ ଦିନର ଚିକିତ୍ସା ପରେ ତାଙ୍କୁ ବେଙ୍ଗାଲୁରୁ ପଠାଯାଇଥିଲା। ଏଠାରେ ଥିବା ସେନା ହସ୍ପିଟାଲରେ ତାଙ୍କର ଗୋଟିଏ ସପ୍ତାହ ଧରି ଚିକିତ୍ସା ଚାଲିଥିଲା। ଦୁର୍ଘଟଣାରେ ତାଙ୍କ ଶରୀରର ୪୫% ଅଂଶ ପୋଡ଼ି ଯାଇଥିବା ବେଳେ ବେଙ୍ଗାଲୁରୁରେ ୩ଟି ଅପରେସନ ମଧ୍ୟ କରାଯାଇଥିଲା। ହେଲେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି।ଏହି ଦୁଃଖଦ ଖବରକୁ ପ୍ରଥମେ ବାୟୁସେନା ପକ୍ଷରୁ ଟ୍ୱିଟ କରି ଅବଗତ କରାଯାଇଥିଲେ। ଏଥିସହ ବାୟୁସେନା ଗ୍ରୁପ କ୍ୟାପ୍ଟେନ ବରୁଣଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛି।ଦୀର୍ଘ ଦଶନ୍ଧି ଧରି ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଦେଶର ସେବା କରି ଆସୁଥିଲେ। ଏଥିପାଇଁ ତାଙ୍କୁ ଚଳିତ ବର୍ଷ ଅଗଷ୍ଟ ୧୫ରେ ସୌର୍ୟ୍ୟ ଚକ୍ରରେ ସମ୍ମାନୀତ କରାଯାଇଥିଲା। ୨୦୧୮ରେ ସେ ଉଡ଼ାଉ ଥିବା ତେଜାସ ଯୁଦ୍ଧ ବିମାନ ମଝି ଆକାଶରେ ଟେକ୍ନିକାଲ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେବେ କ୍ୟାପ୍ଟେନ ବରୁଣ ସିଂହ ନିଜ ବୁଦ୍ଧି ଓ ଧୈର୍ୟ୍ୟର ପରୀକ୍ଷା ଦେଖାଇ ବେଶ ସୁରକ୍ଷିତ ଭାବେ ଏହାକୁ ରନୱେରେ ଲ୍ୟାଣ୍ଡ କରିଥିଲେ। ଫଳରେ ଗୋଟିଏ ବଡ଼ ଦୁର୍ଘଟଣାକୁ ଟଳି ଯାଇଥିଲା। ଏଥିପାଇଁ ତାଙ୍କୁ ସୌର୍ୟ୍ୟ ଚକ୍ର ମିଳିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0