ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଭାରିଏଣ୍ଟକୁ ନେଇ ସମସ୍ତଙ୍କ ବଢ଼ିଛି ଚିନ୍ତା । ଏପରି ସ୍ଥିତିରେ ଓମିକ୍ରନ ବିରୋଧରେ ଟିକା କେତେ ପ୍ରଭାବୀ, ତା’ ଉପରେ ଗବେଷଣା ଚାଲିଛି। କିନ୍ତୁ ଏସବୁ ଭିତରେ ଭାରତର କୋଭିଡ ପ୍ୟାନେଲ ମୁଖ୍ୟ ତଥା ନୀତି ଆୟୋଗ ଅଧ୍ୟକ୍ଷ ଡା ଭିକେ ପଲ୍ ବଡ଼ ଆଶଙ୍କା ପ୍ରକାଶ କରିଛନ୍ତି।ତାଙ୍କ ମତରେ ଭାରତ ପାଖରେ ଥିବା କରୋନା ଟିକାଗୁଡ଼ିକ ବର୍ତ୍ତମାନ ସ୍ଥିତିରେ ପ୍ରଭାବହୀନ ହେବାର ଯଥେଷ୍ଟ ଭୟ ରହିଛି। ତେଣୁ ଏହା ଉପରେ ବିଚାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।ସେ କହିଛନ୍ତି, “ବର୍ତ୍ତମାନ ସମୟରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଆମ ପାଖରେ ଥିବା ଟିକା ପ୍ରଭାବହୀନ ହେବାର ଆଶଙ୍କା ରହିଛି। ଓମିକ୍ରନ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ଅନେକ ପ୍ରକାରର ସନ୍ଦେହ ଓ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହା ମଧ୍ୟରୁ କିଛି ସତ ମଧ୍ୟ ହୋଇଥାଇ ପାରେ।ଏବେ ବି ଆମ ସାମ୍ନାକୁ ଓମିକ୍ରନକୁ ନେଇ ଶେଷ ଛବି ଆସିନି। ତେଣୁ ଆମକୁ ଯଥାଶୀଘ୍ର ସବୁ ପ୍ରକାରର ଭାରିଏଣ୍ଟକୁ ମୁକାବିଲା କରିପାରୁ ଥିବା ଟିକାର ଡୋଜ ହାସଲ କରିବାକୁ ପଡ଼ିବ। ଆମକୁ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ।ବଦଳୁଥିବା ପରିସ୍ଥିତି ସହ ଖାପ ଖୁଆଇଲା ଭଳି ଟିକା ଉପରେ ଆମକୁ କାମ କରିବାକୁ ପଡ଼ିବ। ପ୍ରତି ୩ ମାସରେ ଆମେ କିଛି ବଦଳାଇ ପାରିବା ନାହିଁ। କିନ୍ତୁ ପ୍ରତି ବର୍ଷ ଆମେ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇ ପାରିବା। ତେଣୁ ଦୀର୍ଘକାଳୀନ ଯୋଜନାରେ ଟିକାର ବିକଶତ କରିବାକୁ ହେବ। ଡା ପଲ୍ ସମସ୍ତଙ୍କୁ ଟିକା ନେବାର ଆବଶ୍ୟକ ସମ୍ପର୍କରେ ମଧ୍ୟ ମତ ଦେଇଛନ୍ତି। କେହି ବି ଟିକାରୁ ଯେମିତି ବଞ୍ଚିତ ନ ହେବେ ଓ ମହାମାରୀକୁ ରୋକିବା ପାଇଁ ବୈଜ୍ଞାନିକ ଗବେଷଣା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ସେ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0