ଭୁବନେଶ୍ୱର(ଚନ୍ଦନ ପଣ୍ଡା) : “ଦିଦି” ଏହି ନାମଟି ସାଧାରଣତଃ ଆମେମାନେ ଆମର ବଡ ଭଉଣୀ ମାନଙ୍କୁ ଡାକିଥାଉ | କିନ୍ତୁ ଆମର ପ୍ରିୟ ପାଠକେ ଏ ଶୀର୍ଷକରୁ ଭାବିବା ଆରମ୍ଭ କରିଥିବେ ଦିଦିଙ୍କୁ ଭରଷା ,ପୁଣି ରୋଷେଇ ଘର | ଏ କେମିତି କଥା କଣ ଏ ପ୍ରସଙ୍ଗ |ତେବେ ସବିଶେଷ ଜାଣିବା ପାଇଁ ଆସନ୍ତୁ ପ୍ରସଙ୍ଗ ଭିତରକୁ ଯିବା | ଯେମିତି କର୍ଣ୍ଣାଟକ ରେ ଆମ୍ମା କହିଲେ ଆବାଳବୃଦ୍ଧବନିତା ବୁଝନ୍ତି ପୂର୍ବତନ ମୁଖ୍ୟାମନ୍ତ୍ରୀ ଜୟଲଳିତା ଙ୍କୁ ,ଉତ୍ତରପ୍ରଦେଶ ରେ ବେହେନ୍ ଜୀ କହିଲେ ପୂର୍ବତନ ମୁଖ୍ୟାମନ୍ତ୍ରୀ ସୁଶ୍ରୀ ମାୟାବତୀ ଙ୍କୁ ସେହିଭଳି କଲିକତା ବା ପଶ୍ଚିମବଙ୍ଗରେ “ଦିଦି” କହିଲେ ସମସ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ବୁଝନ୍ତି |ଚଳିତ ବର୍ଷ ମାର୍ଚ୍ଚ -ଏପ୍ରିଲ୍ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହୋଇପାରେ । ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗକୁ ବିଜେପିର ପ୍ରବେଶ ଗଭୀର ହୋଇଥିବାରୁ ଶାସକ ତୃଣମୂଳ କଂଗ୍ରେସ ପାଇଁ ଏଥର ବିଧାନସଭା ନିର୍ବାଚନ ପ୍ରମୁଖ ଆହ୍ଵାନ ହୋଇ ଛିଡା ହୋଇଛି । ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ଦିଦିଙ୍କ ତୃଣମୂଳ ଗଡ଼ରେ ଧସେଇ ପଶିବାକୁ ଉଦ୍ୟମ କରୁଛି ଭା.ଜ.ପା | (ଟିଏମ୍ସି)କୁ ହରାଇ ରାଜ୍ୟର ଶାସନ ଚୌକି ନିଜ ହାତକୁ ନେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ପୂରାଦମ୍ରେ ଲାଗିପଡ଼ିଛି । ଟିଏମ୍ସିର ଅସନ୍ତୁଷ୍ଟ ନେତାମାନଙ୍କୁ ବିଜେପି ନିଜ ଦଳରେ ସାମିଲ କରି ଦିଦିଙ୍କ ଉପରେ ଚାପ ସୃଷ୍ଟି କରୁଛି । କିନ୍ତୁ,ଦିଦି ଏହାକୁ ଖାତିର ନକରି ନିର୍ବାଚନରେ ନିଜ ସପକ୍ଷରେ ଭୋଟ ଗୋଟାଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଦିଦି ଦେଖାଇଛନ୍ତି ଚକମା । ରାଜ୍ୟର ଗରିବ ଓ ନିମ୍ନ, ମଧ୍ୟବିତ ଜନତାଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲକ୍ଷ୍ୟରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆରମ୍ଭ କରିଛନ୍ତି କମ ମୂଲ୍ୟରେ ଭୋଜନ “ମା ରୋଷେଇ ଘର” ।
ଏହି ଯୋଜନାର ନାମକରଣ ତୃଣମୂଳ କଂଗ୍ରେସ ପାର୍ଟିର ସ୍ଲୋଗାନ୍ ‘ମା, ମାଟି, ମାନୁଷ’ରୁ କରାଯାଇଛି । ମମତା ବାନାର୍ଜୀଙ୍କ ‘ମା’ ରୋଷେଇ ଘରେ ମାତ୍ର ୫ ଟଙ୍କା ବିନିମୟରେ ଉପଲବ୍ଧ ହେବ ଭାତ, ଡାଲି, ପନି ପରିବା ତରକାରି ଏବଂ ଅଣ୍ଡା ତରକାରି । ଏହି ଯୋଜନା ନିମନ୍ତେ ୧୬ଟି ଏକ ପ୍ରକାରର ରୋଷଶାଳ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ ପଦକ୍ଷେପ | କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କିପରି କାର୍ଯ୍ୟକରୁଛି ତାହା ଦେଖିବାର ଅଛି | ତେବେ ଏଠାରେ କହି ରଖୁଛୁ |ଭାରତୀୟ ନିର୍ବାଚନ ରାଜନୀତିରେ ଗରିବ ଓ ମଧ୍ୟବିତ୍ତ ମତଦାତା ଙ୍କ ମତ ହାତେଇବା ଲକ୍ଷ୍ୟରେ ଏଭଳି କମ ମୂଲ୍ୟଯୁକ୍ତ ଭୋଜନ ବ୍ୟବସ୍ତା କିଛି ନୂଆ କଥା ନୁହେଁ । ଏହି ସୁଲଭ ଭୋଜନ ବ୍ୟବସ୍ଥା ପ୍ରଥମେ ତାମିଲନାଡ଼ୁର ଆସିଛି | ଜୟଲଳିତାଙ୍କ ଏହି ନିଆରା ଭୋଜନ ଯୋଜନା କୁ ଓଡିଶା ସମେତ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଅନୁକରଣ କରିଛନ୍ତି ପରେ ପରେ ଏବେ ପଶ୍ଚିମବଙ୍ଗ ସେହିଭଳି ଆପଣେଇଛି | ଆମ୍ମା କ୍ୟାଣ୍ଟିନ’ ଜୟଲଳିତାଙ୍କ ପାଇଁ ଅପୂର୍ବ ସମ୍ଭାବନା ଦେଇଥିଲା | ଖାସ୍ ଏଇଥିପାଇଁ ପାଇଁ ୨୦୧୪ ଲୋକସଭା ନିର୍ବାଚନଏଆଇଏଡିଏମ୍କେ ୩୯ ଟି ଲୋକସଭା ଆସନ ମଧ୍ୟରୁ ୩୭ଟି ହାତେଇବା ସହ ୨୦୧୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଜୟଲଳିତାଙ୍କୁ ବିପୁଳ ବିଜୟ ଦେଇଥିଲା । ପରେ ପରେ ଏଠାରୁ ଅନୁପ୍ରାଣିତ ହୋଇ ଅନେକ ରାଜ୍ୟ କମମୂଲ୍ୟ ଯୁକ୍ତ ଭୋଜନ ଯୋଜନାର ଶୁଭାରମ୍ଭ କରିଥିଲେ କିମ୍ବା ଏଥିପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ | ହେଲେ ସମସ୍ତେ ଏହାର ସଫଳତା ପାଇନଥିଲେ | ଓଡ଼ିଶାରେ “ଆହାର” ପରି କର୍ଣ୍ଣାଟକରେ “ଇନ୍ଦିରା କ୍ୟାଣ୍ଟିନ” ନାମରେ ଜନସାଧାରଣଙ୍କୁ ସୁଲଭ ଭୋଜନର ସୁବିଧା ମିଳୁଥିଲା | ଦିନ ଏଗାର ରୁ ତିନି ଟା ଭିତରେ ଆହାରରେ ୫ ଟଙ୍କାରେ ଭାତ ଡାଲମା ଓ ଆଚାର ମିଳୁଥିବା ବେଳେ ତାମିଲନାଡୁର “ମା ଭୋଜନାଳୟରେ ” ସକାଳରେ ଇଟିଲି ,ସମ୍ବର , ମଧ୍ୟାନ୍ନରେ ଦହି ଭାତ ,ପୋଙ୍ଗଲ ,ଲେମନ ରାଇସ,କରି ଲିଫ ରାଇସ ,ଏବଂ ରୁଟି ଉପଲବ୍ଧ ହେଉଥିଲା |ଯାହାର ମୂଲ୍ୟ ଇଟିଲି- ସମ୍ବର ୦୧ ଟଙ୍କା ,ସମ୍ବର ଭାତ ୫ ଟଙ୍କା ,କରି ଲିଫ ରାଇସ ୫ ଟଙ୍କା ,ଏବଂ ଦହି ଭାତ ୩ ଟଙ୍କା | ସେହିପରି କର୍ଣ୍ଣାଟକର ଇନ୍ଦିରା କ୍ୟାଣ୍ଟିନରେ ସକାଳ ଜଳଖିଆ ରେ ଇଟିଲି, ନଡ଼ିଆ ଚଟଣି , ମଧ୍ୟାନ୍ନ ଓ ରାତ୍ରି ଭୋଜନ ରେ ସମ୍ବର ରାଇସ , ଦହି ଭାତ ଓ ବିଲାତି ଖଟା ଦିଆଯାଉଥିଲା |କିନ୍ତୁ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ୨୦୧୬ରେ ଏନ୍ଟିଆର କ୍ୟାଣ୍ଟିନ ଆରମ୍ଭ କରିଥିଲେ । ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ତାଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପରାଜୟ କରିଥିଲା । ପରେ, ବର୍ତ୍ତମାନର ଓ୍ଵାଇଏସ୍ଆର ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ଏନ୍ଟିଆର କ୍ୟାଣ୍ଟିନକୁ ବନ୍ଦ କରିଦେଇଛନ୍ତି । ଏବଂ କର୍ଣ୍ଣାଟକରେ କଂଗ୍ରେସର ସିଦ୍ଧରମେୟାଙ୍କ ସରକାର ଗରିବ ଲୋକଙ୍କୁ ଶସ୍ତା ଓ ସୁଲଭ ଖାଦ୍ୟ ଯୋଗାଇବା ପାଇଁ ୨୦୧୭ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଉଦ୍ଘାଟିତ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରିଥିଲେ। ୨୦୧୮ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିପାରି ନଥିଲା। ବି .ଏସ .ଏଦୁରୁପ୍ପା ମୁଖ୍ୟମନ୍ତ୍ରୀ ଭାବେ ସରକାର ଗଠନ କରିଥିଲେ |ଯାହା ଫଳରେ ତାହା ବନ୍ଦ ହୋଇ ଯାଇଛି |ସେହିଭଳି ଉତ୍ତରପ୍ରଦେଶରେ ୨୦୧୭ରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଯଦି ରାଜ୍ୟରେ ସରକାର ଗଢ଼େ ତେବେ ରାଜ୍ୟର ଗରିବ ଜନତାଙ୍କ ପାଇଁ ଏକ ସବସିଡି ଯୁକ୍ତ କ୍ୟାଣ୍ଟିନ୍ ଖୋଲିବ ବୋଲି ନିର୍ବାଚନୀ ପ୍ରତଶ୍ରୁତି ଦେଇଥିଲେ; ହେଲେ ଏହା ମଧ୍ୟ ସଫଳ ହେଲା ନାହିଁ | ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀତ୍ୱ ରେ ସରକାର ଗଠନ ହେଲା |
ତଥାପି, କମ ମୂଲ୍ୟରେ ଭୋଜନ ଯୋଜନା ଧାରଣା ଶାସକ ଦଳ ମଧ୍ୟରେ କିଛି ସ୍ଥାନରେ ସଫଳ ହୋଇଛି। ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ସରକାର ୨୦୨୦ରେ ଶିବ ଭୋଜନ ଯୋଜନା ଆରମ୍ଭ କରି ୧୦ ଟଙ୍କାରେ ଗରିବ ଅଭାବୀ ଲୋକଙ୍କୁ ସୁଲଭ ଖାଦ୍ୟ ଯୋଗାଉଛନ୍ତି। ତେଲେଙ୍ଗାନାରେ, କମ ମୂଲ୍ୟରେ ଭୋଜନ ପାଇଁ ଅନ୍ନପୂର୍ଣ୍ଣା ଯୋଜନା ମାର୍ଚ୍ଚ ୨୦୧୪ରେ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା । ଏହା ପରେ ପ୍ରତ୍ୟେକ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଶାସକ ଟିଆରଏସ ପ୍ରତିଟି ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ଏହାକୁ ଏକ ସଫଳତା ବୋଲି ଧରାଯାଇପାରେ | ଏଭଳି କ୍ଷେତ୍ରରେ ପଶ୍ଚିମବଙ୍ଗ ର “ଦିଦି” ସରକାରଙ୍କ ତୃଣମୂଳକୁ ‘ମା ରୋଷେଇ ଘର’ କେତେ ସାହାଯ୍ୟ ହେବ ତାହାତ ସମୟ କହିବ ।କିନ୍ତୁ ମାଗଣା ଭୋଜନ ବା ସ୍ବଳ୍ପମୁଲ୍ୟରେ ଭୋଜନ ବାସ୍ତବରେ ଗରିବୀ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ କାମ କରିବ ନା କେବେଳ ମତଦାତାଙ୍କ ମତ ପାଇବାକୁ ଏହା ଭେଳିକି ମାତ୍ର ,ତାହା ବିଚାର ଯୋଗ୍ୟ ! ତେବେ ପଶ୍ଚିମବଙ୍ଗ ରାଜନୀତିରେ ଘାସ ଝାଉଁଳିବ ନା ପଦ୍ମ କଅଁଳିବ..? ଦିଦିଙ୍କୁ ଭରଷା ଓ ସାହାରା ଦେବକି ‘ମା ରୋଷେଇ ଘର ତାହା ଆମର ଶୁଦ୍ଧି ପାଠକ /ପାଠିକା ମାନଙ୍କ ଉପରେ ଛାଡିଲୁ ….



Visitors Today : 3
Total Visitors : 130166
Total Views : 9891611
Visitors Online Now : 0