ନୂଆଦିଲ୍ଲୀ: ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୁଦ୍ଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ.ଜେ ଆକବର କରିଥିବା ମାନହାନି ମାମଲାକୁ ଖାରଜ କଲେ କୋର୍ଟ। କୌଣସି ପ୍ରମାଣ ନ ମିଳିବାରୁ ପ୍ରିୟା ରମାନୀଙ୍କୁ ଅପରାଧିକ ମାନହାନି ମାମଲାରେ ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ୨୦୧୮ରେ ‘ମିଠୁ ଅଭିଯାନ’ ସମୟରେ ସାମ୍ବାଦିକ ପ୍ରିୟା ରମାନି କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ବିରୋଧରେ ଯୌନ ନିର୍ୟାତନାର ଅଭିଯୋଗ ଆଣିଥିଲେ। ଏହି କାରଣରୁ ତାଙ୍କ ମନ୍ତ୍ରୀ ପଦ ଚାଲିଯାଇଥିଲା। ତେବେ ଏହାର ପାଲଟା ଯବାବରେ ସେ ପ୍ରିୟାଙ୍କ ବିରୁଦ୍ଧରେ ଅପରାଧୀକ ମାନହାନି ମକଦ୍ଦମା ଦାୟର କରିଥିଲେ। ଆକବର ଆବେଦନରେ କହିଥିଲେ ଯେ ପ୍ରିୟା ରମାନି ମିଥ୍ୟା ଅଭିଯୋଗ ଆଣି ତାଙ୍କ ସାମାଜିକ ଛବିକୁ ଖରାପ କରିଛନ୍ତି। ତେବେ ଆଜି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ମାମଲାର ଶୁଣାଣିରେ କୋର୍ଟ କହିଛନ୍ତି ଯେ ଭାରତୀୟ ସମ୍ବିଧାନ ମହିଳାମାନଙ୍କୁ ସେମାନଙ୍କ ସହ ଘଟିଥିବା ଘଟଣାକୁ ଯେକୌଣସି ସ୍ଥାନରେ ଓ ଯେ କୌଣସି ସମୟରେ ଉଠାଇ ପାରିବାର ଅଧିକାର ଦେଇଛି। ଏହାକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଯୌନ ନିର୍ୟାତନା ସବୁବେଳେ ବନ୍ଦ ଦ୍ୱାର ପଛରେ ହିଁ ହୋଇଥାଏ। ଶୋଷଣର ଶିକାର ହୋଇଥିବା ଅଧିକାଂଶ ମହିଳା କଳଙ୍କ ଏବଂ ଚରିତ୍ର ସଂହାର ଭୟରେ ସ୍ୱର ଉଠାଇପାରନ୍ତି ନାହିଁ। ୨୦୧୮ରେ ପ୍ରିୟା ଟ୍ୱିଟ କରି ଅଭିଯୋଗ କରିଥିଲେ ଯେ ୨୦ ବର୍ଷ ପୂର୍ବେ ଆକବର ଏସିଆନ ଏଜର ମୁଖ୍ୟ ଥିବା ବେଳେ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ ହୋଟେଲ ବେଡରୁମକୁ ଡାକିଥିଲେ ଓ ସେଠାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। କେବଳ ପ୍ରିୟା ନୁହେଁ, ଆହୁରି କିଛି ମହିଳା ମଧ୍ୟ ଆକବରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0