ନ୍ୟୁଜ ୬ ଓଡ଼ିଆ, ବ୍ୟୁରୋ ରିପୋର୍ଟ: ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି ଦୁଷ୍କର୍ମ ମାମଲା । ଖବରକାଗଜର ପୃଷ୍ଠା ଲେଉଟାଇଲେ ଆଖିରେ ପଡ଼ୁଛି ଲୋମଟାଙ୍କୁରା କାହାଣୀ । ମଣିଷତ୍ୱର ସଜ୍ଞା ଯେପରି ଭୁଲି ସାରିଲାଣି ମଣିଷ । କାମନା ତାକୁ ଯେପରି ପଶୁ କରିସାରିଲାଣି । ଗୋଟେପଟେ ନିର୍ଭୟା କେସ୍ ମନରୁ ଲିଭିନଥିବା ବେଳେ ସାମ୍ନାକୁ ଆସିଥିଲା ହାଥରସ ପୀଡ଼ିତାର କରୁଣ କାହାଣୀ । ଯାହା ଛାତି ଥରାଇ ଦେଇଛି ଦେଶବାସୀଙ୍କର । ହାଥରସ୍ ଘଟଣା ପରେ ୟୁପି, ବଳରାମପୁରର ଆଉ ଗୋଟେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗୋଟିଏ ପରେ ତେବେ ଦୁଷ୍କର୍ମ ମାମଲା ବଢ଼ିଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କାହିଁକି ହେଉଛି? ଦିନେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ସାରା ଦେଶ ହୋଇଥିଲା ଏକଜୁଟ । ରାଜରାସ୍ତାକୁ ଓହ୍ଲାଇଥିଲେ ଜନତା । ଜନତାଙ୍କ କ୍ରୋଧ ମଶାଲ ହୋଇ ଜଳିଥିଲା ସାରା ଦେଶରେ । ତେବେ କୁଆଡ଼େ ଗଲା ସେ ଜନତାଙ୍କ କ୍ରୋଧ? କାହିଁ ଶୁଭୁନି ତାଙ୍କ ସ୍ୱର? ବିବେକ ମରିଗଲାକି ସଭିଙ୍କର? କାହିଁକି ଉଦାସୀନ ସରକାର? କାହିଁକି ସରକାରଙ୍କୁ କରାଯାଉନି ପ୍ରଶ୍ନ? ଏହି ପ୍ରଶ୍ନ ଏବେ ସବୁରି ମନରେ ।

୧୬ ଡିସେମ୍ବର, ୨୦୧୨ ମସିହା ଶୀତ ରାତି ପରି ଆଉ ଏକ ଦିନ ଥିଲା ୧୪ ସେପ୍ଟେମ୍ବର, ୨୦୨୦ । ନିର୍ଭୟା ଘଟଣା ଆଜି ବି ଲୋକଙ୍କ ମନରୁ ଲିଭିନଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ନିର୍ଭୟାଙ୍କ କାହାଣୀ । ସେପ୍ଟେମ୍ବର ୧୪ ତାରିଖ ସକାଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ଜଣେ ଦଳିତ ଯୁବତୀ । ଘଟଣା ଘଟିଥିଲା ହାଥରସ୍ ଜିଲ୍ଲା ଚନ୍ଦପା ଥାନାର ଏକ ଗାଁରେ । ଏଥିରେ ସାମିଲ ଥିଲେ ଉଚ୍ଚ ବର୍ଗର କିଛି ପ୍ରଭାବଶାଳୀ ବ୍ୟକ୍ତି । ନିର୍ମମତାର ସମସ୍ତ ସୀମା ଟପି ନୃଶଂସ ଅପରାଧୀ ପୀଡ଼ିତାଙ୍କ ଜିଭ କାଟିଦେବା ସହ ଭାଙ୍ଗି ଦେଇଥିଲେ ମେରୁଦଣ୍ଡ । ଘଟଣାର ୯ ଦିନ ପରେ ପୀଡ଼ିତା ହୋସକୁ ଆସିବା ପରେ ନିଜ ଉପରେ ହୋଇଥିବା ଅତ୍ୟାଚାରକୁ କରିଥିଲେ ବୟାନ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉତ୍ତର ପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ସେଠାରେ ଜୀବନମୃତ୍ୟୁ ସଂଘର୍ଷରେ ହାରିଯାଇଥିଲେ ଆଉ ଜଣେ ନିର୍ଭୟା । ସେପଟେ ବେଡ଼ି ଉପରେ କୋରଡ଼ା ପରି ପରିବାର ଲୋକଙ୍କ ଅନେକ କାକୁତି ମିନତି ସତ୍ତ୍ୱେ ଶେଷ ଦର୍ଶନ କରିବାକୁ ଦେଇନଥିଲା ୟୁପି ପୁଲିସ । ନିଜ ଝିଅକୁୁ ଘରକୁ ନେଇଯାଇ ରୀତିନୀତିରେ ଦାହ ସଂସ୍କାର କରିବାକୁ ଚାହୁଁଥିଲେ ପରିବାରଲୋକେ । କିନ୍ତୁ ପୁଲିସ ଶବ ନେବା ତ ଦୂରର କଥା ଛୁଇଁବାକୁ ମଧ୍ୟ ଦେଇନଥିଲା । ଏପରିକି ପରିବାର ଲୋକଙ୍କୁ ଚିତା ପାଖକୁ ମଧ୍ୟ ଯିବାକୁ ଦେଇନଥିଲା ପୁଲିସ । ପୁଲିସ ନିଜ ଇଚ୍ଛା ଅନୁସାରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଦେବା ପରେ ବିବାଦ ଉଗ୍ରରୂପ ନେଇଥିଲା । ଦେଶବ୍ୟାପୀ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ପ୍ରଶାସନ । ଯୋଗୀ ସରକାର ଏନେଇ ଏକ ତିନି ଜଣିଆ ଏସଆଇଟି ଗଠନ କରିବା ସହ ୭ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା କରାଯାଇଛି । ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ହାଥରସ୍ ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା କାହାଣୀ । ଘଟଣାଟି ହେଉଛି ୟୁପି, ବଳରାମପୁରର । ୨୯ ସେପ୍ଟେମ୍ବର, ମଙ୍ଗଳବାର ଦିନ ୨୨ବର୍ଷୀୟା ଦଳିତ ଯୁବତୀ ଜଣକ କାମକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକଙ୍କ ଅନେକ ଖୋଜାଖୋଜି ପରେ ମଧ୍ୟ ମିଳିନଥିଲା ଯୁବତୀଙ୍କ ପତ୍ତା । ପରଦିନ ସକାଳେ ହାତରେ ଗ୍ଲୁକୋଜ ଡ୍ରିପ୍ ସହ ମମୁର୍ଷୁ ଅବସ୍ଥାରେ ଘରକୁ ଫେରିଥିଲେ ପୀଡ଼ିତା । ପୀଡ଼ିତାଙ୍କ ହାତ ଓ ଗୋଡ ଭାଙ୍ଗିଥିଲା । ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ଜାଣି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଏହାର ଦୁଇ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା । ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି ଦୁଇ ଅଭିଯୁକ୍ତଙ୍କୁ ।ମାମଲା ଫାଷ୍ଟଟ୍ରାକ୍ କୋର୍ଟକୁ ଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ସେପଟେ ଉତ୍ତରପ୍ରଦେଶରେ ଯେପରି ମହିଳା ହିଂସା ଥମିବାର ନାମ ନେଉନି । ହାଥରସ ଓ ବଳରାମପୁର ପରେ ଭଦୋହି ଜିଲ୍ଲାରେ ଜଣେ ୧୪ ବର୍ଷୀୟ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଦୁଷ୍କର୍ମ ପରେ ଅମାନୁଷିକ ଭାବେ ପୀଡ଼ିତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି ଅଭିଯୁକ୍ତ । କ୍ଷେତକୁ ଯାଇଥିବା ନାବାଳିକା ଜଣକ ଘରକୁ ନଫେରିବାରୁ ଖୋଜିଥିଲେ ପରିବାର ଲୋକେ । ଶେଷରେ କ୍ଷେତଠାରୁ କିଛି ଦୂରରେ ମିଳିଥିଲା ମୃତ ପୀଡ଼ିତାର ଶବ । ଜଣକ ପରେ ଜଣେ ଦଳିତ ମହିଳା ଓ ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଖବର ସାରା ଦେଶରେ ସୃଷ୍ଟି କରିଛି ଆଲୋଡନ ।

ଏଇଠି ମନେପଡ଼େ ୧୬ ଡିସେମ୍ବର, ୨୦୧୨ ମସିହାର ସେଇ ଶୀତ ରାତିର ଘଟଣା । ଜ୍ୟୋତି ସିଂହ ନାମକ ଜଣେ ଫିଜିଓଥେରାପୀ ଇଣ୍ଟର୍ଣ୍ଣ ନିଜ ବନ୍ଧୁଙ୍କ ସହ ଫେରୁଥିଲେ ଘରକୁ । କିଏ ଜାଣିଥିଲା ସେହି ରାତି ତାଙ୍କ ପାଇଁ କାଳ ରାତି ପାଲଟିଯିବ ବୋଲି । ସାଉଥ୍ ଦିଲ୍ଲୀର ମୁନିରକା ଅଞ୍ଚଳରେ ତାଙ୍କ ସହ ଘଟିଥିଲା ଅଭାବନୀୟ ଘଟଣା , ଯାହା ଥରାଇ ଦେଇଥିଲା ପ୍ରତିଟି ଭାରତୀୟଙ୍କୁ । ହଜି ଯାଇଥିଲା ଦେଶବାସୀଙ୍କ ଆଖିରୁ ନିଦ । ମଣିଷ କ’ଣ ସତରେ ଏତେ ନିର୍ଦ୍ଦୟ ହୋଇପାରେ? ଚଳନ୍ତା ବସ ଭିତରେ ଅମାନୁଷିକ ଭାବେ ଛଅ ଜଣ ନର ପିଶାଚ ଘଟାଇଥିଲେ ନାରକୀୟ କାଣ୍ଡ । ମୃତ୍ୟୁ ସହ ସଂଗ୍ରାମ କରି ପ୍ରାଣ ହାରିଥିଲେ ପୀଡ଼ିତା । ଅକାଳରେ ଝଡ଼ିପଡ଼ିଥିଲା ଏକ ଅମୂଲ୍ୟ ଜୀବନ । ସେତେବେଳେ ଘଟଣାକୁ ନେଇ ଦେଶ ତଥା ବିଦେଶରେ ଅନେକ ଚର୍ଚ୍ଚା ହୋଇଥିଲା । ରାସ୍ତାକୁ ଓହ୍ଲାଇଥିଲେ ଦେଶବାସୀ । ୧୧ ଦିନ ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା ପୀଡ଼ିତା ବଞ୍ଚିବାକୁ ଚାହୁଁଥିଲା । ନିର୍ଭୟର ପ୍ରତୀକ ଏହି ଝିଅର ନୂଆ ନାଁ ହୋଇଥିଲା ‘ନିର୍ଭୟା’ । ସମସ୍ତ ଦୋଷୀଙ୍କୁ ଗିରଫ କରାଯାଇଥିଲା । ଘଟଣାର ୮ ବର୍ଷ ପରେ ମାର୍ଚ୍ଚ ୨୦ ତାରିଖରେ ନ୍ୟାୟ ମିଳିଥିଲା ନିର୍ଭୟାକୁ । ଫାଶୀରେ ଝଲିଥିଲେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ । ଆଉ ଶାନ୍ତିରେ ନିଶ୍ୱାସ ମାରିଥିଲା ଭାରତ । କିନ୍ତୁ ସତରେ କ’ଣ ଶାନ୍ତିରେ ନିଶ୍ୱାସ ମାରିଥିଲା ଭାରତ? ନା….

ତେବେ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ଅପରାଧ ମାମଲା ହାରରେ ଚାଲନ୍ତୁ ନଜର ପକାଇବା । ୨୦୧୯ ମସିହାରେ ଦିନକୁ ୮୭ଟି ଦୁଷ୍କର୍ମ ହୋଇଥିବା ରେକର୍ଡ କରାଯାଇଛି । ୨୦୧୮ ବର୍ଷ ତୁଳନାରେ ୨୦୧୯ରେ ଏହା ୭ ପ୍ରତିଶତ ବଢ଼ିଛି ବୋଲି ସୂଚନା ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ । ସେମିତି ‘କ୍ରାଇମ୍ସ ଇନ୍ ଇଣ୍ଡିଆ’ ପକ୍ଷରୁ କୁହାଯାଇଛି କି ମହିଳାଙ୍କ ବିରୋଧରେ ଅପରାଧ ପୂର୍ବ ବର୍ଷ ତୁଳନାରେ ୭.୩ ପ୍ରତିଶତ ବଢ଼ିଛି । ୨୦୧୮ରେ ମହିଳାଙ୍କ ବିରୋଧରେ ଅପରାଧ ହାର ୫୮.୮ ପ୍ରତିଶତ ଥିବାବେଳେ ଏବେ ଏହା ୬୨.୪ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୮ ରେ ୩୩ ହଜାର ୩୫୬ ଓ ୨୦୧୭ରେ ଦୁଷ୍କର୍ମ ସଂଖ୍ୟା ଥିଲା ୩୨ହଜାର ୫୫୯ । ଏଥିରୁ ଅଧିକାଂଶ ମାମଲା ଆଇପିସି ଅଧୀନରେ ରୁଜୁ ହୋଇଛି । ଏଥିରୁ ବାଦ ପଡ଼ିନାହାନ୍ତି ଶିଶୁ । ୨୦୧୮ ତୁଳନାରେ ୨୦୧୯ରେ ଶିଶୁଙ୍କ ବିରୋଧରେ ଅପରାଧ ବଢ଼ିଛି ୪.୫ ପ୍ରତିଶତ । ଏନସିଆରବି ତଥ୍ୟ ଅନୁସାରେ ୨୦୧୯ରେ ଶିଶୁଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ୪୬.୬ ପ୍ରତିଶତ ଅପହରଣ ମାମଲା ଥିବାବେଳେ ୩୫.୩ ପ୍ରତିଶତ ଯୌନ ନିର୍ଯ୍ୟାତନା ମାମଲା ରହିଛି ।

ଏଇଠି ଏକ ପ୍ରଶ୍ନ ମନକୁ ଆସେ କି ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ମୃତ୍ୟୁର ଅନେକ ବର୍ଷ ବିତିଗଲେ ମଧ୍ୟ କାହିଁକି ନ୍ୟାୟ ପାଉନି ପୀଡ଼ିତା? ନ୍ୟୟ ମିଳିବାରେ ଏତେ ବିଳମ୍ବ କାହିଁକି? କାହିଁକି ଏତେ ଦୁର୍ବଳ ଆମ ନ୍ୟାୟ ବ୍ୟବସ୍ଥା? କେବେ ମିଳିବ ନ୍ୟାୟ? ହୁଏତ ଏ ପ୍ରଶ୍ନସବୁର ଉପଯୁକ୍ତ ଜବାବ ନାହିଁ କାହା ପାଖରେ? ଆଇନର ହାତ ଦୃଢ଼ ହେଲେ ହୁଏତ କିଛି ମାତ୍ରାରେ ରୋକିହୁଅନ୍ତା ଏସବୁ । ଉତ୍ତର ବୋଧହୁଏ ସମୟ ଦେବ । କିନ୍ତୁ ଏ ଭିତରେ ଆଉ କେତେ ନିର୍ଭୟା ଯେ ଚୁପ୍ ହୋଇଯାଇନଥିବେ , ତା’ କିଏ କହିବ?



Visitors Today : 3
Total Visitors : 130169
Total Views : 9891615
Visitors Online Now : 0