ଢେଙ୍କାନାଳ : ହଜିଗଲା ମାନବିକତା । ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା ଆହା ପଦେ କହିବା ପାଇଁ ବି କେହି ବହୋରିଲେନି । ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ ସ୍ୱାମୀ ଛାତିରେ ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦୁଥିବାର ହୃଦୟ ବିଦାରକ ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ଡାକ୍ତରଙ୍କ ପାଖକୁ ନେବାପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଛନ୍ତି । ନିଜ ବନ୍ଧୁ ସମ୍ପର୍କୀୟଙ୍କ ଠାରୁ ଡାକ୍ତରଖାନା କର୍ମଚାରୀ ସମସ୍ତେ ଅଛନ୍ତି । ହେଲେ ପାଖକୁ କେହି ଆସୁନାହାନ୍ତି । ମୃତକ ଜଣକ ଅନୁଗୁଳ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ନାଧରା ଗ୍ରାମରେ । ଗତ ଦୁଇଦିନ ତଳେ ଥଣ୍ଡା କାଶ ହେବାରୁ ସେ ତାଙ୍କ ଘରକୁ ପଳାଇ ଆସିଥିଲେ । ପରେ ସୋମବାର ଅର୍ଥାତ ୧୪ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଉଭୟ ଦମ୍ପତି କୋଭିଡ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ତେବେ ଟେଷ୍ଟ ପରେ ପତ୍ନୀଙ୍କର ନେଗେଟିଭ ଓ ତାଙ୍କର ପଜିଟିଭ ବାହାରିଥିଲା ।
ତାପରେ ସାଥିରେ ଆସିଥିବା ତାଙ୍କ ସମ୍ପର୍କୀୟ ମାନେ ଭୟରେ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ତେବେ କରୋନା ପଜିଟିଭ ଶୁଣୁ ଶୁଣୁ ଡାକ୍ତରଖାନା ଆଉଟଡୋରରେ ବୁଲୁଥିବା ଏହି ୫୮ବର୍ଷୀୟ ବ୍ୟକ୍ତି ଜଣଙ୍କ ହଠାତ ଖସିପଡି ଛଟ ପଟ ହୋଇ ଥିଲେ । ପାଖରେ ଥିବା ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦିବା ଛଡା ଆଉ କିଛି ଉପାୟ ନଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ମୃତଦେହ ପଡି ରହିଥିବା ବେଳେ ଅପରାହ୍ନ ୩ଟାରେ ସ୍ୱତନ୍ତ୍ର କର୍ମଚାରୀ ଆସି ମୃତଦେହକୁ ସ୍ୱତନ୍ତ୍ର କଟକଣା ମଧ୍ୟରେ ସ୍ତ୍ରୀଙ୍କ ଠାରୁ ନେଇଥିଲେ । କୋରନାର ଏହି କାରୁଣ୍ୟ ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0