ହାଇକୋର୍ଟ ବାର ଆସୋସିଏସନ ସହିତ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ ୨୦୨୦, ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ୨୦୨୦-୨୧ ବର୍ଷର ଅବଶିଷ୍ଟ ଅବଧି ପାଇଁ ଏହି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ସଂପର୍କିତ ସାନି କାର୍ୟ୍ୟସୂଚୀ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସମସ୍ତ ସ୍ବୀକୃତିପ୍ରାପ୍ତ ଆଇନଜୀବୀ ସଂଘକୁ ଅବଗତ କରାଯାଇଛି। ୨୦୨୦, ଅକ୍ଟୋବର ୧୯ରେ ହାଇକୋର୍ଟ ସମସ୍ତ ଆଇନଜୀବୀ ସଂଘ ନିର୍ବାଚନ କରିବା ପାଇଁ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନ କରି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ନଭେମ୍ବର ୨୪ ଓ ୨୫ ତାରିଖ ନାମାଙ୍କନପତ୍ର ଦାଖଲ ହେବ। ନଭେମ୍ବର ୨୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ୨୭ରେ ବିଭିନ୍ନ ପଦ ପଦବି ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୮ ତାରିଖ ଦିନ ୩ଟା ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ ଓ ୪ଟା ସମୟରେ ନିର୍ବାଚନ ଅଧିକାରୀ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ।ଡିସେମ୍ବର ୧୨ ସକାଳ ୮ଟାରୁ ଦିନ ୪ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ଆଇନଜୀବୀ ପରିଷଦ ପକ୍ଷରୁ ପ୍ରକାଶିତ କାର୍ୟ୍ୟସୂଚୀରେ ସ୍ପଷ୍ଟ କରାଯାଇଛି। ଏହାପରେ ସେହିଦିନ ୫ଟା ପରେ ଭୋଟ ଗଣତି ଆରମ୍ଭ ହୋଇ ପ୍ରକ୍ରିୟା ଶେଷ ପରେ ନିର୍ବାଚନ ଫଳାଫଳ ପ୍ରକାଶ କରାଯିବ। ୨୦୨୦-୨୧ ନିର୍ବାଚନ ପାଇଁ ବିଭିନ୍ନ ବାର ଆସୋସିଏସନ ସାଧାରଣ ପରିଷଦ ପକ୍ଷରୁ ପୂର୍ବରୁ ନିଯୁକ୍ତ କରାଯାଇଥିବା ନିର୍ବାଚନ ଅଧିକାରୀ ଏହି ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ୱାନ ବାର ୱାନ ଭୋଟ ନିୟମ ଅନୁସରଣ କରି ଏ ସଂପର୍କିତ କାର୍ୟ୍ୟସୂଚୀ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ କୁହାଯାଇଛି।ନିର୍ବାଚନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଭୂତାଣୁ ସଂକ୍ରମଣକୁ ନେଇ ଜାରି କରିଥିବା ନିୟମାବଳି ପାଳନ କରାଯିବ। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭିଡ଼ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ପୁଲିଂ ବୁଥ୍ କରିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।



Visitors Today : 3
Total Visitors : 130516
Total Views : 9892060
Visitors Online Now : 0