ସମ୍ବଲପୁର : ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେସନ୍ ମଧ୍ୟସ୍ଥ ଭବାନୀପାଲିରେ ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ଏହାର ସମ୍ମୁଖ ଇଞ୍ଜିନ୍ର ୬ଟି ଚକ ଲାଇନ୍ଚ୍ୟୁତ ହୋଇଯାଇଥିଲା। ତେବେ ଏଥିଯୋଗୁ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ସେହିଭଳି ଟ୍ରେନ୍ ଡ୍ରାଇଭର ଓ ଆସିଷ୍ଟାଣ୍ଟ ଡ୍ରାଇଭର ବି ସୁରକ୍ଷିତ ଅଛନ୍ତି।
ସୂଚନା ଅନୁଯାୟୀ, ପୁରୀରୁ ସୁରତ ଅଭିମୁଖେ ଯାଉଥିବା 02827 ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ରାତି ୧ଟା ୫୫ରେ ହାତିବାରୀ ଷ୍ଟେସନ ଛାଡ଼ିଥିଲା। ସେହି ରୁଟରେ ହାତୀ ଚଳପ୍ରଚଳ କରୁଥିବାରୁ ଟ୍ରେନଟି ପ୍ରାୟ ଘଣ୍ଟାପ୍ରତି ୫୦କିମି ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହା ପରେ ରିଲିଫ୍ ଟ୍ରେନ୍ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ର ସମସ୍ତ କୋଚ୍କୁ ହାତୀବାରି ଷ୍ଟେସନକୁ ଅଣାଯାଇଥିଲା। ସକାଳ ପ୍ରାୟ ୬ଟା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ର ଇଞ୍ଜିନ୍କୁ ଟ୍ରାକ୍କୁ ଅଣାଯାଇଥିଲା। ଟ୍ରାକ୍ କ୍ଲିୟରାନ୍ସ ଅନୁମତି ମିଳିବା ପରେ ସକାଳ ୭ଟା ୨୪ ମିନିଟ୍ରେ ପୁରୀ-ସୁରତ ଏକ୍ସପ୍ରେସ୍ ପୁଣି ଯାତ୍ରା ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ୭ଟା ୪୫ରେ ଏହି ଟ୍ରେନ୍ଟି ପୁରୀରୁ ସୁରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।



Visitors Today : 2
Total Visitors : 130443
Total Views : 9891977
Visitors Online Now : 0