ରାଜ୍ୟ ବାହାରର ଯୋଗ୍ୟ ଡାକ୍ତରମାନେ ଏଣିକି ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇପାରିବେ। ଏ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ସରକାର ହଟାଇ ଦେଇଛନ୍ତି। ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟ ସେବା ନିୟମ, ୨୦୧୭କୁ ସରକାର ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ୍ ସ୍ବୀକୃତି ମିଳିଛି। ନୂଆ ବ୍ୟବସ୍ଥା ଅନୁଯାୟୀ ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆକୁ ଏକ ଭାଷା ବିଷୟ ଭାବେ ନେଇ ଉତ୍ତୀର୍ଣ୍ଣ ହୋଇ ନ ଥିବେ, ତେବେ ସେ ଚାକିରିରେ ଯୋଗ ଦେବାର ୪ ବର୍ଷ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଯଦି ରାଜ୍ୟ ବାହାରର ଜଣେ ପ୍ରାର୍ଥୀ ନିଜ ନାମ ଓଡ଼ିଶା ଡାକ୍ତରୀ ପଞ୍ଜୀକରଣ ପରିଷଦରେ ପଞ୍ଜୀକୃତ ନ କରିଥିବେ, ତେବେ ସେ ନିଯୁକ୍ତି ନିର୍ଦ୍ଦେଶନାମା ପାଇବା ପୂର୍ବରୁ ପରିଷଦରେ ନାମ ପଞ୍ଜୀକୃତ କରିବାକୁ ପଡ଼ିବ। କ୍ୟାବିନେଟ ବୈଠକରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଶୋଧନ ନିୟମ, ୨୦୨୦କୁ ଅନୁମୋଦନ ମିଳିଛି। ଏହି ବ୍ୟବସ୍ଥାରେ ଯେଉଁ ସ୍କିମର ପଦବିଗୁଡ଼ିକ ଭାରତ ସରକାର କିମ୍ବା ଓଡ଼ିଶା ସରକାରଙ୍କ ଦ୍ବାରା ଅନୁମୋଦନପ୍ରାପ୍ତ ହୋଇଥିବ ଏବଂ ସେହି ସବୁ ପଦବିରେ ଫାର୍ମାସିଷ୍ଟମାନଙ୍କୁ ସ୍ବଚ୍ଛ ପଦ୍ଧତ୍ତି ଅନୁସରଣ କରି ନିଯୁକ୍ତି ଦିଆଯାଇଥିବ ଏବଂ ସେମାନେ ସରକାରଙ୍କ ବିଭିନ୍ନ ଚିକିତ୍ସାଳୟରେ ଗୁରୁତର ଚିକିତ୍ସା ପଦ୍ଧତ୍ତିରେ କାର୍ୟ୍ୟରତ ଥିବେ, କେବଳ ସେହି ଠିକା ଫାର୍ମାସିଷ୍ଟମାନଙ୍କୁ ରାଜ୍ୟ ସରକାରଙ୍କ ସାଧାରଣ ସ୍ବାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ କରାଯାଇ ନିୟମିତ କରାଯିବ। ପଦୋନ୍ନତି ପାଇଁ ୧୦ ବର୍ଷର ସମୟସୀମା ନିୟମିତ ହେବା ଦିନ ଠାରୁ ବିଚାରକୁ ନିଆଯିବ। ସ୍କିମ ଓ ସୋସାଇଟି ଅଧୀନରେ କାର୍ୟ୍ୟ କରୁଥିବା ଯେଉଁ ଫାର୍ମାସିଷ୍ଟଙ୍କର ସମସ୍ତ ଯୋଗ୍ୟତା ଠିକ୍ ଅଛି, ତେବେ ସେମାନଙ୍କ ଆବେଦନର ସର୍ବାଧିକ ବୟସସୀମା ୪୫ ବର୍ଷକୁ ହ୍ରାସ କରାଯାଇଛି।



Visitors Today : 1
Total Visitors : 130309
Total Views : 9891812
Visitors Online Now : 0