ସୋର : ବାଲେଶ୍ୱର ଜିଲ୍ଲା ସଦର ଥାନା ରସାଲପୁର ବଜାରରେ ଜଣେ ଗହଣା ଦୋକାନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ସୁନା ଅଳଙ୍କାର ସହ ଟଙ୍କା ଲୁଟିନେଇଥିବା ଜଣାପଡିଛି । ଗୁରୁବାର ରାତି ୧୦ଟା ବେଳେ ଦୋକାନୀ ଲକ୍ଷ୍ମୀଧର ରଣା ରସାଳପୁର ବଜାରରେ ଥିବା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଛିନ୍ତାଇର ଶିକାର ହୋଇଥିବାର ଫାଣ୍ଡିରେ ଅଭିଯୋଗ କରିଛନ୍ତି ।
କସବା ଫାଣ୍ଡି ପାଖକୁ ଲାଗି ସଲଟରୋଡ଼ କଡରେ ତାଙ୍କ ଘର ଆଗରେ ଏଭଳି ଘଟଣା ଘଟି ଯାଇଥିଲେ ବି ଦୁର୍ବୃତ୍ତ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଶ୍ରୀ ରଣା ବଜାରରୁ ଦୋକାନ ବନ୍ଦ କରି ନିଜ ଘର ଜୟଦେବ କସବା ଘରକୁ ଫେରୁଥିଲେ । ଘର ଆଗରେ ଛିଡା ହୋଇ ଗେଟ୍ ଖୋଲୁଥିବା ବେଳେ ହଠାତ୍ ରସାଲପୁର ଆଡୁ ୨ଟି ବାଇକରେ ୪ ଜଣ ଯୁବକ ଆସି ଟେଲଙ୍ଗା କଟୁରିରେ ବେକକୁ ଚଟା ମାରିଥିଲେ ।
ତଳେ ପଡି ଚିତ୍କାର କରିବା ସମୟରେ ଦୁର୍ବୃତ୍ତମାନେ ପାଖରେ ଥିବା ଦୋକାନରୁ ନେଇ ଆସିଥିବା ସମସ୍ତ ସୁନା ଅଳଙ୍କାର ବ୍ୟାଗ୍ ନେଇ ରସାଲପୁର ଆଡକୁ ପଳାଇ ଯାଇଥିଲେ । ଯେଉଁଥିରେ ପାଖାପାଖି ୫୦୦ ଗ୍ରାମର ସୁନା ଅଳଙ୍କାର, ୧ କେଜି ରୂପା ଅଳଙ୍କାର, ନଗଦ ୩୦ହଜାର ଟଙ୍କା ଲୁଟ୍ ହୋଇଯାଇ ଥିବାର ଅଭିଯୋଗ ହୋଇଛି । ଖବର ପାଇ କସବା ପୋଲିସ ତଦନ୍ତ ଆରମ୍ଭ କରିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0