ଚାନ୍ଦବାଲି: କରୋନା କାଳରେ ମାଛ କରିଦେଲା ଲକ୍ଷପତି । ଚାନ୍ଦବାଲିରୁ ଆସିଛି ଏପରି ଖବର । ଯାହାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ମାଛର ଦାମ୍ ୧ଲକ୍ଷ ୭୬ ହଜାର ଟଙ୍କା । ଆଜି ଚାନ୍ଦବାଲିର ଚାନ୍ଦନିପାଳ କଂଟାରେ ଏପରି ଏକ ବିଶାଳ ମାଛର ନିଲାମ ଲାଗିଥିଲା । ମାଛ କେଜି ପିଛା ପ୍ରାୟ ୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ଏହି ଦରରେ ପୁରା ମାଛର ଦାମ୍ ହେବ ପ୍ରାୟ ୧ ଲକ୍ଷ ୭୬ ହଜାର ଟଙ୍କା । ନିଲାମରେ ବ୍ୟବସାୟୀ ଭାଗ ନେଇ ଶେଷରେ ମୁମ୍ବାଇ ଏକ କମ୍ପାନୀ ଏହାକୁ ଚଢା ଦାମରେ କିଣିଥିବା ଜଣାପଡିଛି । ତାଳଚୁଆ ଅଞ୍ଚଳରୁ ଧୀବରଙ୍କ ଜାଲରେ ପଡିଥିଲା ଏକ ବିଶାଳ ମାଛ । ବର୍ତ୍ତମାନ କରୋନା କାରଣରୁ ମାଛ ଟିକୁ କୋଲକାତା ନେଇପାରି ନଥିଲେ ଧୀବରମାନେ । ଏହି କାରଣରୁ ସ୍ଥାନୀୟ ବଜାରରେ ଏହାକୁ ନିଲାମ କରି ଦେଇଥିଲେ । ଲକ୍ଷେ ଛଅସ୍ତରୀ ହଜାର ଟଙ୍କିଆ ମାଛଟିକୁ ତେଲିଆ ମାଛ ବୋଲି କୁହାଯାଇଥାଏ। ପୂର୍ବରୁ ସମାନ ପ୍ରକାରର ଦୁଇଟି ମାଛକୁ କେଜି ପିଛା ୬ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା ।