ଗଡ଼ଚିରୋଲି: ପବିତ୍ର ରଙ୍ଗର ପର୍ବ ହୋଲିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମହାରାଷ୍ଟ୍ରର ଗଡ଼ଚିରୋଲି ଅନ୍ତର୍ଗତ ଖୋବ୍ରାମେଣ୍ଢା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ଦୁଇ ମହିଳା ନକ୍ସଲ ରହିଛନ୍ତି। ସେମାନଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରାଯାଇଛି। ଆଉ କିଛି ନକ୍ସଲ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗଡ଼ଚିରୋଲି ରେଞ୍ଜର ଡେପୁଟି ଆଇଜି ସନ୍ଦୀପ ପାଟିଲ କହିଛନ୍ତି, ଆଜି ସକାଳ ପ୍ରାୟ ୭.୩୦ରେ ଖୋବ୍ରାମେଣ୍ଢା ଜଙ୍ଗଲରେ ୨୫ ଜଣ ନକ୍ସଲ ଲୁଚି ରହିଥିବା ସୂଚନା ମିଳିଥିଲା। ଖବର ମିଳିବା ପରେ ଗଡ଼ଚିରୋଲି ପୁଲିସର ସି୬୦ କମାଣ୍ଡୋମାନେ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଖସି ଯିବାକୁ ଚେଷ୍ଟା କଲାବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ମହିଳାଙ୍କ ସମେତ ୫ ନକ୍ସଲ ପ୍ରାଣ ହରାଇଛନ୍ତି। ଆଉ ୨୦ ଜଣ ନକ୍ସଲ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଶନିବାର ମଧ୍ୟ ଏଠାରେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। ତେବେ ସେମାନେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ। ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରୁ ୩ଟି ପ୍ରେସର କୁକର ବୋମା, ଗୋଟିଏ ୩୦୩ ରାଇଫଲ ମ୍ୟାଗାଜିନ, କାଟ୍ରିଜ, ତାର, ସୋଲାର ପ୍ଲେଟ୍ସ, ହାତ ତିଆରି ବୋମା ଓ ମେଡିସିନ ଠାବ କରିଥିଲେ। ଆଜି ନକ୍ସଲମାନେ ୪ଟି ଗ୍ରୁପ୍ରେ ବିଭକ୍ତ ହୋଇ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏହି ୪ ଗ୍ରୁପରେ ୨୫ ଜଣ ସଦସ୍ୟ ରହିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0