ଯାଜପୁର : ଯାଜପୁର ଜିଲ୍ଲାରେ ଆଜି ବନ୍ୟା ତାଣ୍ଡବ ଦେଖିବାକୁ ମିଳିଛି। ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ୍ ଦଶରଥପୁର, ଯାଜପୁର ଓ କେରୋଇ ପ୍ରଭାବିତ ହୋଇଥିଲା। ଆଜି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୯ଟି ଘାଇ ସୃଷ୍ଟି ହୋଇ ୫ଟି ବ୍ଲକ୍ ବରୀ, ବିଂଝାରପୁର, ରସୁଲପୁର, ଯାଜପୁର ଓ ସୁକିନ୍ଦାରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଶହ ଶହ ଗ୍ରାମ ପାଣି ଘେରରେ ଥିବା ବେଳେ ଅନେକ ରାସ୍ତାଘାଟ ଉପରେ ବନ୍ୟା ସ୍ରୋତ ଚାଲିଛି। ଶହଶହ ସଂଖ୍ୟାରେ ଘର ମାଟିରେ ମିଶିଯାଇଛି। ବର୍ଷା ଓ ବନ୍ୟାରେ ଜିଲ୍ଲାର ୧୨୪ ପଞ୍ଚାୟତର ୫୩୦ଟି ଗ୍ରାମ ପ୍ରଭାବିତ ହୋଇଛି। ଜିଲ୍ଲାର ୪ଟି ନଦୀରେ ୨୨ଟି ଘାଇ ସୃଷ୍ଟି ହୋଇଛି। ସାଢ଼େ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୪୦୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବିପନ୍ନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ୧୨୭ଟି କେନ୍ଦ୍ର ଖୋଲାଯାଇଛି। ଲଗାଣ ବର୍ଷା ଫଳରେ ବୈତରଣୀ ଓ ବ୍ରାହ୍ମଣୀ ମୁଖ୍ୟ ନଦୀ ସହ ଶାଖା ଖରସ୍ରୋତା, କାଣୀ, ବୁଢ଼ା, ଗେଙ୍ଗୁଟି ଆଦି ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଯାଜପୁର ବ୍ଲକର ୨୦ରୁ ଅଧିକ ପଞ୍ଚାୟତ, ଦଶରଥପୁରରେ ୨୦, ବରୀର ୨୯ ପଞ୍ଚାୟତ, ବିଂଝାରପୁରର ୧୩, ରସୁଲପୁରର ୮ପଞ୍ଚାୟତ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ଓ ବିରୂପା ନଦୀରେ ବନ୍ୟା ଯୋଗୁଁ ବରୀ ବ୍ଲକ୍ର ୨୯ ପଞ୍ଚାୟତ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀବନ୍ଧରେ ୬ଟି ଘାଇ ସୃଷ୍ଟି ହୋଇ ବରୀ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0