ଗଞ୍ଜାମ : କରେନା ଯୋଦ୍ଧାଙ୍କୁ ସମ୍ମାନ ଓ ସମବେଦନା ଜଣାଇବା ଲାଗି ଗଞ୍ଜାମ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ କରିବାର ୨୪ ଘଣ୍ଟା ନପୂରୁଣୁ କୋଦଳା ହସ୍ପିଟାଲ୍ ସାମ୍ନାରେ ଅରକ୍ଷ ଭାବେ ଜଣେ କୋଭିଡ୍ ଯୋଦ୍ଧାଙ୍କ ମୃତଦେହ ପଡ଼ି ରହିଥିବା ଭଳି ସମ୍ବେଦନଶୀଳ ଘଟଣା ଆଜି ସାମ୍ନାକୁ ଆସିଛି। ଜଣେ ପୁଲିସ୍ ଏଏସ୍ଆଇଙ୍କର କୋଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ତାଙ୍କର ମରଶରୀର ଦୀର୍ଘ ୧୨ ଘଣ୍ଟା ଧରି ହସ୍ପିଟାଲ୍ ସମ୍ମୁଖରେ ପଡ଼ି ରହିଥିଲା। ତାଙ୍କର ସଂପର୍କୀୟ, ପରିଚିତ କିମ୍ବା ପୁଲିସ୍ ବିଭାଗର କୌଣସି କର୍ମଚାରୀ ଶବ ନିକଟକୁ ଆସି ନଥିଲେ। ଗତକାଲି ରାତିରୁ ଏଭଳି ଅବସ୍ଥାରେ ପଡ଼ି ରହିଥିଲା ମୃତଦେହ। ଆଜି ମଧ୍ୟାହ୍ନ ପରେ ମୃତକଙ୍କ ପୁଅ, ୨ ଜଣ ପୁଲିସ୍ କନ୍ଷ୍ଟେବଳ , ୨ ଜଣ ସ୍ଥାନୀୟ ସାମ୍ବାଦିକ ଏବଂ ଜଣେ ସାମାଜିକ କର୍ମୀଙ୍କ ଉଦ୍ୟମରେ ଶବ ସେଠାରୁ ଉଠିଥିଲା।

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଏଏସ୍ଆଇଙ୍କୁ ଗତ ୪ ଦିନ ତଳେ ଜ୍ବର ହେବାରୁ ସେ ତାଙ୍କ ବେଗୁନିଆପଡ଼ାସ୍ଥିତ ଘରକୁ ପଳାଇ ଆସିଥିଲେ। ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ନିକଟସ୍ଥ କୋଦଳା ଡାକ୍ତରଖାନାକୁ ନେଇଥିଲେ। କୋଦଳା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। କରୋନା ଆକ୍ରାନ୍ତ ଥିବା ସନ୍ଦେହରେ ତାଙ୍କ ମୃତଦେହକୁ ଡାକ୍ତରଖାନା ବାହାରେ ପକାଇ ଦିଆଯାଇଥିଲା। ମୃତଦେହକୁ ଭୟରେ କେହି ଉଠାଇବାକୁ ଆସି ନଥିଲେ। ମଧ୍ୟାହ୍ନ ପରେ ମୃତକଙ୍କ ପୁଅ, ୨ ଜଣ ପୁଲିସ୍ କନ୍ଷ୍ଟେବଳ, ୨ ଜଣ ସ୍ଥାନୀୟ ସାମ୍ବାଦିକ ଏବଂ ଜଣେ ସାମାଜିକ କର୍ମୀଙ୍କ ଉଦ୍ୟମରେ ଶବ ସେଠାରୁ ଉଠିଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0