spot_img

ବିଶ୍ୱସ୍ତରୀୟ ବିବାଦ ବନାମ ବିଦ୍ରୋହର ବହ୍ନି……

ଭୁବନେଶ୍ୱର (ଚନ୍ଦନ ପଣ୍ଡା) : ଓଡ଼ିଶା ରାଜନୀତିର ବିସ୍ମୟ ଓ ବିରଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ|କାରଣ ସେ କେବେ ପରାଜୟର ସ୍ୱାଦ ଚାଖି ନାହାନ୍ତି |ଓଡ଼ିଶାରେ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ୨୦ ବର୍ଷ ହେଲା ସଂଖ୍ୟା ଖେଳରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରୁଛି ବିଜୁ ଜନତା ଦଳ | ଏହା ବିଜୁ ଜନତା ଦଳ ପାଇଁ ଅପୂର୍ବ ସଫଳତା ହୋଇଥିବା ବେଳେ , ବିରୋଧୀ ବିଜେପି , କଂଗ୍ରେସ ଓ ଅନ୍ୟ ମାନଙ୍କ ପାଇଁ ଚିନ୍ତାର ବିଷୟ | ନଵୀନ ବାବୁ କିଭଳି ପାଞ୍ଚ ପାଞ୍ଚ ଥର ସମସ୍ତଙ୍କୁ ଏକଜୁଟ କରି ସ୍ଥିର ସରକାର ସହ ଶାସନ ଗାଦି ଅକ୍ତିଆର କରି ପାରୁଛନ୍ତି |ଏହା ସାଧାରଣ ଜନତା ଓ ବିରୋଧୀ ଦଳ ପାଇଁ ଯେତିକ ଜଟିଳ ,କ୍ଷମତାପ୍ରାପ୍ତ ସହକର୍ମୀ ମାନଙ୍କ ପାଇଁ ସେତିକି ସରଳ | କମ୍ କଥା ସହ ତାଙ୍କ ବାକ୍ୟରୁ ଆଦୌ ବିବାଦର ଖିଅ ବାହାର କରିବା କାଠିକର ପାଠ କହିଲେ ଚଳେ | ଓଡିଶା ଇତିହାସ ରେ ବାରମ୍ବାର ଜନତାଙ୍କ ବିଶ୍ୱାସ ଜିତୁଥିବା ଓ ପରାଜୟର ପାଦ ସ୍ପର୍ଶ କରିନଥିବା ଅପ୍ରତିଦ୍ଵନ୍ଦୀ, ଅପରାଜୟ ଓ ଅନନ୍ୟ ସଫଳ ନାୟକ ଯଦି କାହାକୁ କହିବା ତେବେ ସେ ହେଉଛନ୍ତି ନବୀନ ବାବୁ |ଏହାକୁ ତାଙ୍କର ନିନ୍ଦୁକ ମାନେ ମଧ୍ୟ ସ୍ୱୀକାର କରିବା ପାଇଁ ବାଧ୍ୟ ହେବେ |ଏମିତି ବି ରାଜନୀତି ରେ ବିଜୟ ଓ ପରାଜୟ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ଲାଗି ରହିଥାଏ | ସର୍ବସାଧାରଣରେ , ଛକରେ ,ଚା ଖଟିରେ ତାଙ୍କର ସମର୍ଥକ ମାନେ ଏବଂ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସର୍ବୋଚ୍ଚ ଶୁଭେଛୁ ,ଶୁଭଚିନ୍ତକ ଓ ପ୍ରଶଂସକ ବରଗଡ଼ ଜିଲ୍ଳା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ର ପୁଅ ଖଗେଶ୍ୱର ଦେହୁରୀ ନବୀନ ବାବୁ ଙ୍କ ସଜ୍ଞା କହିବାକୁ ଯାଇ ତାଙ୍କ ଶୈଳୀରେ ସେ ଯାହା କହନ୍ତି ସଜାଡି ଲେଖିଲେ ଏପରି ସେ ଅଜୟ ,ସେ ଦୁର୍ବାର ,ସେ ପ୍ରବୀର ,ସେ କାଣ୍ଡାରୀ ,ସେ ଦୁର୍ଦ୍ଦଶ ଏବଂ ” ରାଜନୀତିରେ କେତେ ଆସନ୍ତି କେତେ ଯାଆନ୍ତି ,ଥରେ ଆସି ଯିଏ ବହୁ କାଳ ରହିଛନ୍ତି ତାଙ୍କୁ ନବୀନ ପଟନାୟକ କହନ୍ତି ” | କିନ୍ତୁ ଏଇ କିଛିଦିନ ହେବ ଓଡ଼ିଶାରେ ସବୁଆଡେ ଖାଲି ବିଶ୍ୱସ୍ତରୀୟ ବିଶ୍ୱସ୍ତରୀୟ ଗୁଞ୍ଜରଣ ଚାଲିଛି | ମୁଦ୍ରିତ ହେଉ ଅବା ବୈଦୁତିକ ଗଣମାଧ୍ୟମ ସବୁଠି ବିଜ୍ଞାପନ ଛାଇଯାଉଛି | ରେଳ ଷ୍ଟେସନ ଠାରୁ ବିମାନ ବନ୍ଦର , ବସ ଷ୍ଟାଣ୍ଡ ଠାରୁ ମଠ ମନ୍ଦିର , ଦୋକାନ ,ବଜାର ଠାରୁ ରାସ୍ତାଘାଟ ଓ ସେତୁ ପାଖରେ ସବୁଠି ଗୋଟିଏ ଚର୍ଚ୍ଚା “ବିଶ୍ୱସ୍ତରୀୟ |” ଆଜି ଜଗନ୍ନାଥ ମନ୍ଦିର ହେବ ବିଶ୍ଵସ୍ତରୀୟ , କାଲି ଲିଙ୍ଗରାଜ ,କୋଣାର୍କ ,ସମଲେଶ୍ୱରୀ , ତାପର ଦିନ ବରମୁଣ୍ଡା ହେବ ବିଶ୍ୱସ୍ତରୀୟ ବସ ଷ୍ଟାଣ୍ଡ , ପୁଣି କଟକ ରେ ହେବ ବିଶ୍ୱସ୍ତରୀୟ ନେତାଜୀ ବସ ଟର୍ମିନାଲ ,ଏଭଳି ଖବର ଆପଣମାନେ ଦୈନିକ ପଢି ଏ ବିଶ୍ୱସ୍ତରୀୟ ଶବ୍ଦଟି ସହ ବେଶ ପରିଚିତ ହୋଇ ଯିବେଣି | ଏ ବିଶ୍ୱସ୍ତରୀୟ ଶବ୍ଦ ଶୁଣି ପ୍ରଶଂସକ ମାନେ ନିଜକୁ ବିଶ୍ୱସ୍ତରୀୟ ଭାବି ନେବେଣି ଓ ନିନ୍ଦୁକ ମାନେ ଏହାକୁ ଫମ୍ପା ଆବାଜ ମଧ୍ୟ କହିବେଣି | ମାତ୍ର ବାସ୍ତବ ସ୍ଥିତି ହେଉଛି ଅନ୍ୟ ସ୍ଥାନ କଥା ନକହିବା ଭଲ ଏ ପର୍ଯ୍ୟନ୍ତ ଓଡିଶା ସରକାର ରାଜଧାନୀର ରାସ୍ତାରେ ପଦାରୋହଣ କାରୀଙ୍କ ପାଇଁ ବିଶ୍ୱସ୍ତରୀୟ ଦୂରେ ଥାଉ ରାଜ୍ୟସ୍ତରୀୟ ପାଦଚଲା ରାସ୍ତାଟିଏ ଯୋଗାଇ ପାରିଲେ ନାହିଁ | ପୁଣି ଏବେ ଏବେ ଖବର ଆସିଛି ନୀତି ଆୟୋଗ ର ତଥ୍ୟାନୁଯାଇ ଉଦ୍ଭାବନ ସୂଚକାଙ୍କ ରେ ଓଡ଼ିଶାର ସ୍ଥାନ ଆଗ ଅପେକ୍ଷା ଦୁଇ ପାଦ ତଳକୁ ଆସିଛି |ଆଗରୁ ଓଡିଶା ଦ୍ୱାଦଶ ସ୍ଥାନରେ ଥିବା ବେଳେ ଏବେ ଚତୁର୍ଦଶ ସ୍ଥାନରେ ରହିଛି | ଏଠାରେ ସ୍ୱତଃ ମନରେ ଏଭଳି ପ୍ରଶ୍ନ ଆସିବା ସ୍ୱାଭାବିକ ଦୁଇ ଦଶନ୍ଧି ର ସ୍ଥିର ସରକାର ବିରୋଧୀ ଶୂନ୍ୟ ରାଜନୈତିକ ପାଣିପାଗ ଥିବା ସତ୍ୱେ ଆମ ଓଡିଶା ଏଭଳି ପଛରେ ରହିବାର କାରଣ କଣ ? ଏବଂ ଯେତେବେଳେ ଓଡ଼ିଶାର ବିଶ୍ୱସ୍ତରୀୟ ପ୍ରକଳ୍ପ ମାନ ହେବାପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ ହେଉଛି ଠିକ ଏତିକି ବେଳେ ଦଳ ଭିତରୁ ଶୁଭୁଛି ଭିନ୍ନ ସ୍ୱର | ଯାହା ବିଜୁ ଜନତା ଦଳରେ ସବୁ କିଛି ଠିକ ଚାଲିନାହିଁ ବୋଲି ସୂଚନା ଦେଉଛି | ଯାହାର ସଦ୍ୟ ଉଦାହରଣ ଖୋଲାଖୋଲି ଭାବେ ଦଳର ନେତ୍ରୀ ତଥା ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ପଲାସାପଲ୍ଲୀ ଦିବ୍ୟାଙ୍ଗ ଯୌନ ଶୋଷଣ ଘଟଣାରେ ରେ ବିଜେଡିର ପ୍ରକ୍ସି ଆକାଉଣ୍ଟରୁ କଟୂ ସମାଲୋଚନା ଏବଂ ନେତାଜୀ ବସ ଟର୍ମିନାଲ ର ସ୍ଥାନ ଚିହ୍ନଟ କୁ ନେଇ ବାମ ପନ୍ଥି ସିପିଆଇ ରୁ ଦକ୍ଷିଣ ପନ୍ଥି ବିଜେଡି କୁ ଯାଇ ରାଜ୍ୟସଭା ସାଂସଦ ହୋଇଥିବା ସୁବାସ ସିଂ ,କଟକ-ବାରବାଟୀ ର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ମୁହଁରେ ଭର୍ତ୍ତୃହରି ମିଛ କହୁଛନ୍ତି ବୋଲି ଗଣମାଧ୍ୟମରେ ଖୋଲା ସମାଲୋଚନା | ଏଠାରେ କହି ରଖୁଛୁ ପୂର୍ବରୁ ୨୦୧୮ ମସିହା ଜୁନ ମାସରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପ୍ରସ୍ତାବିତ କଟକ ଜିଲ୍ଲା ଗୋପାଳପୁର ମୌଜା ରେ ନୂତନ ବସ ଷ୍ଟାଣ୍ଡ ପାଇଁ ଭୂମି ପୂଜନ ହୋଇଥିଲା | ସେତେବେଳର ସଡକ ପରିବହନ ମନ୍ତ୍ରୀ ଡା .ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ କାଠଯୋଡ଼ି ନିକଟରେ ୧୦୦୦ ବସ୍ ପାର୍କିଂ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ସହ ତିନି ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ । ରାଜ୍ୟ ସରକାର ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ୧୨୦ କୋଟି ମଞ୍ଜୁର କରିଥିଲେ ଯାହା ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଦିଆଯାଇଥିବା ୪୨.୬୪ ଏକର ଜମିରେ ନିର୍ମାଣ ହୋଇଥାନ୍ତା |

ରାଜ୍ୟର ପ୍ରଥମ ଅଲ୍ଟ୍ରା ଆଧୁନିକ ବସ୍ ଟର୍ମିନାଲ୍ ହେବାକୁ ଥିବା ଏହି ବସ୍ ଟର୍ମିନାଲରେ ଯାତ୍ରୀଙ୍କ ଅପେକ୍ଷା ହଲ୍, ଫୁଡ୍ କୋର୍ଟ, ଶୌଚାଳୟ, ମାର୍କେଟ କମ୍ପ୍ଲେକ୍ସ ଏବଂ ଏକ ପାର୍କିଂ କ୍ଷେତ୍ର ଭଳି ସମସ୍ତ ଆଧୁନିକ ସୁବିଧା ରହିଥାନ୍ତା । ପର୍ଯ୍ୟାପ୍ତ ସୁରକ୍ଷା କର୍ମୀଙ୍କ ଯୋଗଦାନ ବ୍ୟତୀତ ବସ୍ ଷ୍ଟାଣ୍ଡରେ କଡା ନଜର ରଖିବା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ମଧ୍ୟ ସ୍ଥାପନ କରାଯିବନେଇ ସୂଚନା ରହିଥିଲା | ଗୋପାଳପୁରର ନୂତନ ଆନ୍ତରାଜ୍ୟ ବସ୍ ଟର୍ମିନାଲ୍ ବାଦାମବାଡି ବସ୍ ଷ୍ଟାଣ୍ଡରେ ଯାତାୟାତକୁ ହ୍ରାସ କରିବା ବ୍ୟତୀତ ଉଭୟ ବସ୍ ଡ୍ରାଇଭର ତଥା ଯାତ୍ରୀଙ୍କୁ ମଧ୍ୟ ଉପକୃତ କରିଥାନ୍ତା। ସେ ସମୟର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ବାଣିଜ୍ୟ ଏବଂ ପରିବହନ ବିଭାଗର ସଚିବ ଜି ଶ୍ରୀନିବାସନ୍, କଟକ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର, କଟକ ମହାନଗର ନିଗମ ସଚିବ ବିକାଶ ମହାପାତ୍ର, କଟକ ସଡକ ପରିବହନ ଅଧିକାରୀ ଦୀପ୍ତି ରଂଜନ ପାତ୍ର ଏବଂ ମୋଟର ଯାନ ଇନ୍ସପେକ୍ଟର ଆର ଦଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କିନ୍ତୁ ୩ ବର୍ଷ ବିତିଗଲା ସେଠାରେ ବସ ଷ୍ଟାଣ୍ଡ ହୋଇ ପାରିଲା ନାହିଁ |କେବଳ ପାଚେରୀ ରେ ସୀମିତ ରହିଲା |ଏବେ ନେତାଜୀ ଜୟନ୍ତୀରେ ସରକାର ପୂର୍ବରୁ ଘୋଷଣା କରିଥିବା ଗୋପାଳପୁର ବସ ଷ୍ଟାଣ୍ଡ କଥା କୁଆଡେ ଗଲା କିଛି ସୂଚନା ନ ଦେଇ ପୁଣି କଟକ ଖାନ ନଗର ଠାରେ ୧୨ ଏକର ଜାଗାରେ ପୁଣି ବସ୍ ଟର୍ମିନାଲ ନିର୍ମାଣ ହେବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କିଓସ୍କ ବ୍ୟବସ୍ଥା ରହିବ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସଂପର୍କିତ ଫଟୋ ଚିତ୍ର ସ୍ଥାନ ପାଇବ । ୧ ଲକ୍ଷ ୧୮ ହଜାର ବର୍ଗଫୁଟରେ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ ହେବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂ କରିପାରିବେ। ତେବେ ଏସବୁ ଭିତରେ କଟକ ସାଂସଦ ଭର୍ତ୍ତୃହରି ମହତାବ ନିଆଁରେ ଘିଅ ଢାଳିବା ସଦୃଶ କହିଛନ୍ତି ଖାନନଗରରେ ନେତାଜୀ ବସ୍ ଟର୍ମିନାଲ ସ୍ଥାପନ ଯୋଜନା ସମ୍ପର୍କରେ ସ୍ଥାନୀୟ ଅଂଚଳବାସୀ କିମ୍ବା ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ କୌଣସି ଆଲୋଚନା କରାଯାଇନି। ଗୁଗଲ ମ୍ୟାପ୍ ଦେଖି ସେଠାରେ ଜାଗା ସ୍ଥିର ହୋଇଛି ଓ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ବସ୍ ଟର୍ମିନାଲ ପାଇଁ ଶୁଭ ଦେଇଛନ୍ତି। ଯେଉଁ ସ୍ଥାନରେ ଟର୍ମିନାଲ ହେବା ପାଇଁ ସ୍ଥିର ହୋଇଛି ସେଠାରେ ଏବେ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ, ସରକାରୀ ସ୍କୁଲ, ଶଶ୍ମାନ, ସାଇ ମନ୍ଦିର, କାଳି ମନ୍ଦିର ଆଦି ରହିଛି। ତା’ଛଡ଼ା କଟକର ବାଦାମବାଡ଼ି ବସଷ୍ଟାଣ୍ଡକୁ ଦୈନିକ ୧୨୦୦ ବସ୍ ଆସୁଥିବାବେଳେ ଖାନନଗରରେ ତାହା କିଭଳି ଚଳପ୍ରଚଳ କରିବ ଓ କେଉଁ ବାଟ ଦେଇ ଯିବ ତାହା ସେ ଜାଣିପାରୁନାହାନ୍ତି। ତେଣୁ ଏହି ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକ କିମ୍ବା ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା।

ସାଂସଦ ମହତାବ ଙ୍କ ଏଭଳି ବକ୍ତ୍ୟବ ପରେ ଉସ୍ମ ହୋଇଛି କଟକ ରାଜନୀତି ବିବାଦ ସୃଷ୍ଟି ହୋଇଛି ବିଜୁ ଜନତା ଦଳରେ |ଗୋଟିଏ ପକ୍ଷ ଏହାକୁ ଆଖି ମୁଜି ସମର୍ଥନ କରୁଥିବା ବେଳେ ଅନ୍ୟ ପକ୍ଷ ଅନ୍ୟ ଏକ ଦିଗରେ | ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଟର୍ମିନାଲ ସ୍ଥାପନ ବିଷୟରେ ସେ ଜଣେ ପୂର୍ବତନ ବିଧାୟକ ହୋଇ ଜାଣିପାରିଲେ, କିନ୍ତୁ ଜଣେ ସରକାରୀ ଦଳର ସାଂସଦ କିପରି ଜାଣିପାରିଲେ ନାହିଁ | ସାଂସଦଙ୍କୁ ବସ୍ ଟର୍ମିନାଲ ପ୍ରସଙ୍ଗରେ ଜିଲ୍ଲାପାଳ ଅବଗତ କରିଥିବେ | ରାଜ୍ୟ ସଭା ସାଂସଦ ସୁବାସ ସିଂ କହିଛନ୍ତି ସବୁଦିଗକୁ ଅନୁଧ୍ୟାନ କରି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା-ପର୍ଯ୍ୟାଲୋଚନା ହୋଇଛି |କିନ୍ତୁ ବସ୍ତି ବାସିନ୍ଦା ଏହାକୁ ଅସ୍ୱୀକାର କରୁଛନ୍ତି। ଜଣେ ଜନପ୍ରତିନିଧି ଭାବେ ସେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେବା ପଛରେ କ’ଣ ଉଦ୍ଦେଶ୍ୟ? ନିଜ ଦଳର ଲୋକସଭା ସାଂସଦ ଶ୍ରୀ ମହତାବଙ୍କୁ ଛୋଟ ଦେଖାଇବା ନା ସରକାରଙ୍କ ଭାବମୂର୍ତ୍ତିକୁ ସୁରକ୍ଷା ଦେବା ? କଣ ବିଜୁ ଜନତା ଦଳରେ ଏକ ଛତ୍ର ବାଦ ଚାଲିଛିକି ? ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରକୃତ ସମସ୍ୟା କଥା କହିଲେ ସମାଲୋଚନାର ଶୀକାର ହେବାକୁ ପଡୁଛି | ପ୍ରଶ୍ନ ଉଠୁଛି ବିଜୁ ଜନତା ଦଳରେ ସବୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ମାନେ ବିଶ୍ରାମ ନେଲେଣି ଏବେ ମହତାବଙ୍କ ପାଳିକି ? ତଥାଗତ ଶତପଥୀ ଙ୍କ ଠାରୁ ଅନଙ୍ଗ ଉଦୟ ସିଂଦେଓ ଏବଂ ବିଜୟଶ୍ରୀ ରାଉତରାୟ ଘୋଷଣା ନକରିଥିଲେ ମଧ୍ୟ ଏବେ ପ୍ରତ୍ୟକ୍ଷ ରାଜନୀତିରୁ ଦୂରରେ | ବୋଧହୁଏ ନବୀନ ବାବୁ ଭାବି ନେଇଛନ୍ତି ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟନାୟକଙ୍କ ପୁଅ ରହିବେ ବାକି ସମସ୍ତଙ୍କର ରାଜନୀତି ଦୋକାନ ବନ୍ଦ | ଶୁଦ୍ଧି ପାଠକ ବନ୍ଧୁ ଏସବୁ ପାଠ କଲାପରେ ପରେ ଆପଣଙ୍କ ମନରେ ଏଭଳି ପ୍ରଶ୍ନ ଆସୁଥିବ ଆଉ ଆସିବା ବି ସ୍ୱାଭାବିକ ! ବର୍ତ୍ତମାନ ବାଦାମବାଡିକୁ ଦିନକୁ ପାଖାପାଖି ୧୨ଶହ ବସ୍ ଆସୁଥିବାବେଳେ ଖନନଗର ଭଳି ଗହଳିପୁର୍ଣ୍ଣ ସ୍ଥାନକୁ ଆସିବ କେମିତି? ପ୍ରେସ୍ ଛକରୁ ଖାନନଗର ପର୍ଯ୍ୟନ୍ତ ଯେଉଁ ରାସ୍ତା ସଂପ୍ରସାରଣ କଥା କୁହାଯାଉଛି, ସେହି ରାସ୍ତାରେ ଦୁଇଟି ରେଳ ପୋଲ ରହିଛି। ସେହି ପୋଲର ଖୁମ୍ବ ନିକଟରେ ରାସ୍ତା ସଂପ୍ରସାରଣ କେମିତି ହେବ ? ବର୍ତ୍ତମାନ ରିଂ ବନ୍ଧ ପାର୍ଶ୍ବରେ ବି ରେଳବାଇର ଜମି ରହିଛି। ସେଠି ରାସ୍ତା କେମିତି ହେବ ? ଆଗକୁ ରେଳଲାଇନକୁ ୩ ଅଥବା ୪ ଲେନ୍ ବି କରାଯାଇପାରେ । ଏସବୁ ଦୃଷ୍ଟିରୁ ବସ୍ ଷ୍ଟାଣ୍ଡ ସେଠାରେ ସମ୍ଭବ କେମିତି ?ଗୋପାଳପୁରରେ ବସ ଟର୍ମିନାଲ ନିର୍ମାଣ ପାଇଁ ସ୍ଥିର ହୋଇଥିଲା ଏବେ ଖାନ୍‌ନଗରରେ କାହିଁକି ? ଗୋପାଳପୁର ରୁ ଖାନନଗର କଣ ପାଇଁ ବଦଳିଲା ନିଷ୍ପତ୍ତି ? ଗୋପାଳପୁରରେ ୪୩ ଏକର ଯାଗା ଚିହ୍ନଟ ହୋଇଥିଲା ହୋଇ ପାରିଲା ନାହିଁ | କିନ୍ତୁ ମାତ୍ର ୧୦-୧୧ ଏକର ଜମିରେ କେମିତି ବସ୍ ଟର୍ମିନାଲ ହୋଇ ପାରିବ ? ଏହା କେମିତି ଜନଗହଳିପୂର୍ଣ୍ଣ କଟକର ଆବଶ୍ୟକତା ପୂରଣ କରିବ ? ଏହା ପୌର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଳିକି ନୁହେଁ ତ ? ଶେଷରେ ଆମେ ନେତାଜୀ ବସ ଟର୍ମିନାଲ କୁ ସ୍ୱାଗତ କରୁଛୁ ମାତ୍ର ବିଶ୍ୱସ୍ତରୀୟ ସ୍ବପ୍ନ ଦେଖାଇବା ଆଗରୁ ରାଜ୍ୟସ୍ତରୀୟ ହେଉ | ଗୋପାଳପୁର ରୁ ଖାନନଗର ବଦଳିଲା ଭଳି ପୁଣି ନିଷ୍ପତି ଆଉ ନବଦଳୁ | ଯଥା ଶୀଘ୍ର କାମ ଆରମ୍ଭ ହୋଇ ରାଜ୍ୟବାସୀଙ୍କ ସେବାରେ ଲାଗୁ | ଏହା ବିଶ୍ୱସ୍ତରୀୟ , ବିବାଦ ନା ବିଦ୍ରୋହର ବହ୍ନି ସେ ବିଚାର ଆମର ପାଠକ ମାନଙ୍କ ଉପରେ ଛାଡିଲୁ ……..

LEAVE A REPLY

Please enter your comment!
Please enter your name here

- Advertisment -

Most Popular