spot_img

ହାଥରସ ଦୁଷ୍କର୍ମ ମାମଲା, ୩ ଜଣିଆ ଏସଆଇଟି ଗଠନ କଲେ ୟୁପି ମୁଖ୍ୟମନ୍ତ୍ରୀ

ହାଥରସ୍‌: ହାଥରସର ଦଳିତ ଝିଅ ଦୁଷ୍କର୍ମ ମାମଲା ଦୋହଲାଇ ଦେଇଛି ପ୍ରତି ଭାରତୀୟଙ୍କୁ । ଏପରି ସମୟରେ ତାଙ୍କ ପରିବାର ଲୋକଙ୍କୁ ସାହାରା ଦେବା ତ ଦୂରର କଥା, ଉତ୍ତର ପ୍ରଦେଶ ପୁଲିସର ବ୍ୟବହାର କଟା ଘାରେ ଚୂନ ଦେବା ପରି ହୋଇଛି । ପୁଲିସ ନିଜ ଇଚ୍ଛା ଅନୁସାରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲା । ପରିବାର ଲୋକଙ୍କ ଅନେକ କାକୁତି ମିନତି ସତ୍ତ୍ୱେ ୧୫ ମିନିଟ୍ ପାଇଁ ବି ଶେଷ ଦର୍ଶନ କରିବାକୁ ଦେଇନଥିଲା ୟୁପି ପୁଲିସ । ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ପୀଡ଼ିତାଙ୍କ ମୃତ୍ୟୁ ପରେ ପୁଲିସ ଶବ ନେଇ ହାଥରସ ପହଞ୍ଚିଥିଲା । ଆମ୍ବୁଲାନ୍ସ ପହଞ୍ଚିବା ପରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏସପି-ଡିଏମ ଅନେକ ବୁଝାଇବା ପରେ ମଧ୍ୟ ଅନ୍ତିମ ସଂସ୍କାର କରାଇବାକୁ ରାଜି ହୋଇନଥିଲେ ଗ୍ରାମବାସୀ । ନିଜ ଝିଅକୁୁ ଘରକୁ ନେଇଯାଇ ରୀତି ନୀତିରେ ସଂସ୍କାର କରିବାକୁ ଚାହଁଥିଲେ ପରିବାରଲୋକେ । କିନ୍ତୁ ପୁଲିସ ଶବ ନେବାକୁ ଦେଇନଥିଲା । ରାତି ପ୍ରାୟ ୨.୦୦ ଟା ସମୟରେ ଅନ୍ତିମ ସଂସ୍କାର କରିବାକୁ ନେଇଥିଲେ । ଚିତା ଚାରିପଟେ ମଧ୍ୟ ଯିବାକ ଦେଇନଥିଲା ପୁଲିସ । ପୁଲିସର ଏହି କାର୍ଯ୍ୟ ଲୋକଙ୍କୁ ଆହୁରି ଉତ୍ତ୍ୟକ୍ତ କରିଥିଲା । ପରେ ପୁଲିସ ପକ୍ଷରୁ ଘରଲୋକଙ୍କ ସହମତିରେ ଅନ୍ତିମ ସଂସ୍କାର ହୋଇଛି ବୋଲି ସଫେଇ ଦିଆଯାଇଥିଲା । ସୂଚନା ଯୋଗ୍ୟ କି ହାଥରସ୍ ଜିଲ୍ଲାର ଚନ୍ଦପା ଥାନାର ଏକ ଗାଁରେ ସେପ୍ଟେମ୍ବର ୧୪ ତାରିଖ ସକାଳେ ଦଳିତ ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା । ଚାରି ଜଣ ଲୋକ ଏହି ବର୍ବର କାଣ୍ଡ ଘଟାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଘଟଣାର ୯ ଦିନ ପରେ ପୀଡ଼ିତା ହୋସକୁ ଆସିବା ପରେ ନିଜ ଉପରେ ହୋଇଥିବା ଅତ୍ୟଚାରକୁ ବୟାନ କରିଥିଲେ । ସେପଟେ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଜଣିଆ ଏସଆଇଟି ଗଠନ କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୭ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ ଓ ଫାଷ୍ଟଟ୍ରାକ୍ କୋର୍ଟରେ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular