ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଫୁଲୁଛି ନଦୀ ଓ ନାଳ । ସାରା ରାଜ୍ୟ ଯେମିତି ଖାଲି ପାଣି ଆଉ ପାଣି । ଲଗାଣ ବର୍ଷାରେ କେଉଁଠି କୂଳ ଲଙ୍ଘୁଛି ନଦୀ ତ କେଉଁଠି ଚାଷଜମି ପାଣିଘେରରେ । ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ବୁଢା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଆଜି ସକାଳ ୭ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୯.୫୭ ଥିବା ଜଣାଯାଇଛି । ଏଠାରେ ବିପଦ ସଙ୍କେତ ୧୭.୮୩ ରହିଛି । ଏପଟେ ଯାଜପୁର ଜିଲ୍ଲାର ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ଏହି ଅଞ୍ଚଳ ଗୁଡିକସହ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ବିଂଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳର ଘରେ ବର୍ଷାଜଳ ପଶି ଯାଇଥିବା ବେଳ କୋରେଇ ବ୍ଲକର ଚାଷଜମି ଓ ଗାଁରେ ପାଣି ଜମି ରହିଛି । ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ମୁକାବିଲା ପାଇଁ ସମସ୍ତ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବା ବେଳେ କୋରେଇରେ ୫ଟି, ଯାଜପୁରରେ ୨ଟି, ଦଶରଥପୁରରେ ୪ଟି ଓ ବିଂଝାରପୁରରେ ୨ଟି ବୋଟ୍ ପ୍ରସ୍ତୁତ ରହିଛି । କଳିଙ୍ଗନଗରରୁ ଆସିଥିବା ଓଡ୍ରାଫ୍ ଟିମକୁ ଦଶରଥପୁର ବ୍ଲକକୁ ପଠାଇ ଦିଆଯାଇଛି । ପାଣିକୋଇଲିରେ ଥିବା ଏନଡିଆରଏଫ୍ କୋରେଇ ବ୍ଲକର ସ୍ଥିତି ଉପରେ ନଜର ରଖିଛନ୍ତି ।

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା । ଆଜି ରାଉରକେଲା ମହାନଗରରେ ପଶିଛି ବ୍ରାହ୍ମଣୀ ନଦୀର ଜଳ । ପାନପୋଷ ବାଲୁଘାଟର ନୂଆବସ୍ତି, ତେଲୁଗୁ ବସ୍ତି, ପଲପଲ ବସ୍ତିର ୨୦ ରୁ ଅଧିକ ଘର ପାଣି ଘେରରେ ରହିଛି । ଉଦିତନଗର ଶୀତଳପଡାର ୨୨ରୁ ଅଧିକ କଚା ଘର ଭୁଷୁଡି ପଡିଛି । କଟକର ବାଙ୍କୀ, ବଡମ୍ବା ସମେତ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡା ଓ ଜଗତସିଂହପୁରରୁ ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି । ମହାନଦୀ ଓ ତାହାର ଶାଖା ନଦୀରେ ଆସୁଥିବା ବନ୍ୟା ଜଳ କ୍ଷୟକ୍ଷତି କରୁଥିଲେ ବି ଏଯାଏ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାଗୁଡିକର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । କଟକରେ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୦୧.୯ ମିଲିମିଟର ଭାବେ ମୋଟ ୧୩୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ୧୪୬.୫ ମିମି, କୁଜଙ୍ଗରେ ସର୍ବାଧିକ ୧୯୮ ମିମି, ରଘୁନାଥପୁରରେ ୧୯୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବାଲିକାଦା, ତିର୍ତ୍ତୋଳ, ଜଗତସିଂହପୁର ସଦରରେ ବି ଅଧିକ ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ସବୁଠୁ ଅଧିକ ପରିମାଣର ୨୩୪ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଆଶଙ୍କା କରାଯାଉଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0