ଭୁବନେଶ୍ୱର: ଉତ୍ତର-ପଶ୍ଚିବ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ଗତ ୩୬ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୯ ତାରିଖରେ ଉତ୍ତର କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବାରୁ ଆଜି ପୂର୍ବାହ୍ନ ସୁଦ୍ଧା ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ । ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବାର ଆଶଙ୍କା ରହିଥିବାରୁ ଜଳବନ୍ଦୀ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଳା ପ୍ରଶାସନ ପରାମର୍ଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକରେ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ କଳାହାଣ୍ଡି, ନବରଙ୍ଗପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରପଡା, ଭଦ୍ରକ, ଜଗତସିଂପୁର, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୭ ଓ ୮ ତାରିଖରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ପୁଣି ୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ରାଜ୍ୟରେ ପୁଣିଥରେ ବର୍ଷା ପରିମାଣ ବଢିବ ବୋଲି ଅନୁମାନ କରାଯାଉଛି



Visitors Today : 3
Total Visitors : 130169
Total Views : 9891615
Visitors Online Now : 0