ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଦଳେ ବ୍ୟକ୍ତି ଜଣେ ତରୁଣୀଙ୍କ ସମେତ ୪ଜଣ ମହିଳାଙ୍କୁ ବିବସନା କରିବା ସହ ରାସ୍ତାରେ ଘୋଷାରି ଘୋଷାରି ପିଟାପିଟି କରିଛନ୍ତି। ଘଟଣାଟି ଗତ ସୋମବାର ଦିନ ଲାହୋର୍ ଠାରୁ ପ୍ରାୟ ୧୮୦ କିଲୋମିଟର୍ ଦୂର ଫୈସଲାବାଦରେ ଘଟିଛି। ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ବିବସ୍ତ୍ର କରାଯାଇଥିବା ତରୁଣୀଙ୍କ ସମେତ ୪ଜଣ ମହିଳା ଲଜ୍ଜା ନିବାରଣ କରିବାକୁ କପଡ଼ା ଖଣ୍ଡିଏ ପାଇଁ ସେମାନଙ୍କୁ ବେଢ଼ି ରହିଥିବା ଜନତାଙ୍କୁ ଆକୁଳ ନିବେଦନ କରୁଛନ୍ତି। କିନ୍ତୁ, ସେମାନେ ତାଙ୍କୁ ବାଡ଼ିରେ ପିଟାପିଟି କରୁଛନ୍ତି। ସେମାନଙ୍କୁ ଛାଡ଼ି ଦେବା ଲାଗି ୪ ମହିଳା କାନ୍ଦି କାନ୍ଦି ଗୁହାରି କରୁଥିଲେ ବି କିଛି ସୁଫଳ ମିଳୁନାହିଁ। ସମ୍ପୃକ୍ତ ବିବସନା ମହିଳାମାନଙ୍କୁ ବଜାର ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ଚଲା ଯାଇଥିଲା। ସୂଚନା ଅନୁସାରେ, ପୀଡ଼ିତାମାନେ ଫୈସଲାବାଦରେ ଥିବା ‘ବାୱା ଛକ୍’ ବଜାରକୁ ଅଳିଆ ସଂଗ୍ରହ କରିବାକୁ ଯାଇଥିଲେ। ସେମାନେ କହୁଛନ୍ତି, ଶୋଷ ଲାଗିବାରୁ ଆମେ ସବୁ ‘ଉସ୍ମାନ୍ ଇଲେକ୍ଟ୍ରିକ୍ ଷ୍ଟୋର୍’କୁ ଯାଇ ବୋତଲେ ପାଣି ମାଗିଥିଲୁ। କିନ୍ତୁ, ଦୋକାନର ମାଲିକ ସଦ୍ଦାମ୍ ଅଭିଯୋଗ କରିଛନ୍ତି ଯେ, ଚୋରି ଉଦ୍ଦେଶ୍ୟରେ ହିଁ ଆମେ ସବୁ ଦୋକାନରେ ପ୍ରବେଶ କରିଥିଲୁ। ସଦ୍ଦାମ ଓ ଅନ୍ୟମାନେ ଆମକୁ ମାରଧର କଲେ। ତା’ପରେ ଆମକୁ ବିବସନା କରି ବଜାର ଭିତରେ ଟଣାଘୋଷରା କରି ପିଟିଲେ। କେତୋଟି ଭିଡିଓ ଭାଇରାଲ୍ ହେବା ପରେ ପଞ୍ଜାବ ପୁଲିସ କାର୍ଯ୍ୟାନୁଷ୍ଠନ ପାଇଁ ତତ୍ପରତା ଦେଖାଇଥିଲା। ମଙ୍ଗଳବାର ଦିନ ପଞ୍ଜାବ ପୁଲିସର ଜଣେ ମୁଖପାତ୍ର ଟୁଇଟ୍ କରି ଲେଖିଛନ୍ତି, ଏହି ଦୁଃଖଦ ଘଟଣାରେ ସମ୍ପୃକ୍ତ ୫ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛୁ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0