ନୂଆଦିଲ୍ଲୀ : ଭାରତକୁ ଆସିପାରେ ଆମେରିକାର ମହାଶକ୍ତିଶାଳୀ ପ୍ରିଡେଟର ଡ୍ରୋନ । ପ୍ରାୟ ୨୧ ହଜାର କୋଟି ବିନିମୟରେ ମୋଟ ୩୦ଟି ପ୍ରିଡେଟର ଡ୍ରୋନ କ୍ରୟ ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ତିନିବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଏହି ବୈଠକରେ ପ୍ରସ୍ତାବକୁ ମଂଜୁରୀ ମିଳିଲେ ତାହାକୁ ପ୍ରତିରକ୍ଷା କ୍ରୟ ପରିଷଦ ଓ ତାପରେ କ୍ୟାବିନେଟ ମଂଜୁରୀ ପାଇଁ ପଠାଯିବ ।
ଭାରତ ନିଜର ତିନି ବାହିନୀ- ସ୍ଥଳସେନା, ବାୟୁ ଓ ନୌସେନା ପାଇଁ ଏସବୁ ଡ୍ରୋନ କିଣିବ ।
ଜୁନ ୨୦୧୭ରେ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସମୟରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଏହି ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଯଦି ଭାରତ ଏହି ଡ୍ରୋନ କିଣେ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ । ଅବଶ୍ୟ ଭାରତୀୟ ନୌସେନା ଏବେ ପ୍ରିଡେଟର ଡ୍ରୋନର ନାଭାଲ ଭର୍ସନ ସି ଗାର୍ଡିଆନକୁ ଭଡ଼ାରେ ଆଣି ବ୍ୟବହାର କରୁଛି ।
ଏହି ଡ୍ରୋନ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ଡ୍ରୋନ । ଏଗୁଡିକ ଦ୍ବାରା ବହୁ ଦୂର ପର୍ଯ୍ୟନ୍ତ ପ୍ରହରା ଦେଇହେବ । ଏଥିରୁ କ୍ଷେପଣାସ୍ତ୍ର ଓ ବୋମା ଖଞ୍ଜି ଆକ୍ରମଣ କରିହେବ । ଆଫଗାନିସ୍ତାନରେ ଆମେରିକା ବ୍ୟବହାର କରିଥିବା ଶକ୍ତିଶାଳୀ ହେଲଫାୟାର କ୍ଷେପଣାସ୍ତ୍ର ମଧ୍ୟ ଏଥିରେ ଖଞ୍ଜି ହେବ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0