ଜଳେଶ୍ୱର: ଆଜି ପୂର୍ବାହ୍ନରେ ଜଳେଶ୍ୱର ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅ ସହ ବାଇକରେ ଯାଉଥିବା ବେଳେ ପଛରୁ ଏକ ପିକଅପ୍ ଭ୍ୟାନ୍ ପିଟିବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ସ୍ୱାମୀ ଓ ଅଢ଼େଇ ବର୍ଷର ଶିଶୁକନ୍ୟା ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଜଳେଶ୍ବର ଡାକ୍ତରଖାନାରେ ଚିକିତ୍ସିତ କରାଯିବା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ଆରୁହା ପଞ୍ଚାୟତର ଆରୁହା ଗ୍ରାମର ଅଶ୍ବିନୀ କୁମାର ସାମଲ(୩୬) ନିଜ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ ତାଙ୍କ ନଛିମପୁର ପଞ୍ଚାୟତର ନାଙ୍ଗାଡ ସାହିକୁ ନିଜ ସ୍ତ୍ରୀ ଓ ଝିଅ ସହ ବାଇକରେ ଯାଉଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ଏନଏଚ୍ ୬୦ରେ ପଛରୁ ଏକ ପିକଅପ୍ ଭ୍ୟାନ୍ ପିଟିବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମମତା (୩୨)ଙ୍କର ମୃତ୍ୟୁ ଘଟିଛି। ଉକ୍ତ ପିକଅପ୍ ଭ୍ୟାନ୍( ଓଡି ୦୫ ଏମ୍ ୯୫୫୫)ଟି ଦୁର୍ଘଟଣା ଘଟାଇବା ପରେ ତାର ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିବା ଜଣାଯାଇଛି।
ଏହାପରେ ସ୍ଥାନୀୟ ଲୋକେ ଅଶ୍ବିନୀ କୁମାର ସାମଲ ଓ ତାଙ୍କ ଝିଅଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ଜଳେଶ୍ବର ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0