ଭୁବନେଶ୍ୱର : ଭୁବନେଶ୍ବର ସମେତ ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ଲାଗି ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେପ୍ଟେମ୍ବର ୨୭ରେ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ଦେଶର ୨୨୨ଟି ସହରରେ ଅନୁଷ୍ଠିତ ହେବ। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଛି। ୨୦୧୯ରେ ୬୦୦ ପରୀକ୍ଷା କେନ୍ଦ୍ର ଥିବା ବେଳେ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ୧୧୫୦କୁ ବୃଦ୍ଧି ପାଇଛି। ୩ ଘଣ୍ଟା ଲେଖାଏ ଦୁଇଟି ପେପର୍ ପରୀକ୍ଷା ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପେପର୍-୧ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ୟ୍ୟନ୍ତ ପେପର-୨ ପରୀକ୍ଷା କରାଯିବ। ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୧ ସୋମବାର ପୂର୍ବାହ୍ନ ୧୦ଟାରୁ ସେପ୍ଟେମ୍ବର ୨୭ତାରିଖ ସକାଳ ୯ଟା ପର୍ୟ୍ୟନ୍ତ ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମୋଡ୍ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଜେଇଇ ଆଡଭାନ୍ସଡ୍ର ଯୋଗ୍ୟ ଛାତ୍ରଛାତ୍ରୀ ୨୩ଟି ଆଇଆଇଟିରେ ଥିବା ୪ ବର୍ଷିଆ ବି.ଟେକ୍ ଓ ବି.ଏସ ସି, ୫ ବର୍ଷିଆ ବି.ଆର୍କିଟେକ୍, ଡୁଆଲ୍ ଡିଗ୍ରି ବି.ଟେକ୍-ଏମ୍.ଟେକ୍, ଡୁଆଲ୍ ଡିଗ୍ରି ବି.ଏସ ସି-ଏମ୍.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇପାରିବେ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0