spot_img

ଝରାଫୁଲକୁ ଶ୍ବାସରୁଦ୍ଧ କରି ହତ୍ୟା ସନ୍ଦେହ ଦୃଢ଼ୀଭୂତ

ଭୁବନେଶ୍ୱର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇନାହିଁ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ହିଁ ତାଙ୍କୁ ଭୁବନେଶ୍ବରର ଓୟୋ ଶିବସାଇ ଗେଷ୍ଟହାଉସ୍ରେ ହତ୍ୟା କରିଛି ଏବଂ ପ୍ରମାଣ ନଷ୍ଟ ପାଇଁ ଶବକୁ ୧୦୦ କିମି ଦୂର ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ ଫିଙ୍ଗିଛି । ରାକେଶଙ୍କୁ ରିମାଣ୍ଡରେ ଆଣି ଜେରା ଏବଂ କ୍ରାଇମ ସିନ ରିକ୍ରିଏଟ କରିବା ବେଳେ ପୁଲିସକୁ ଏ ନେଇ ଠୋସ ପ୍ରମାଣ ମିଳିଛି । ପୁଲିସ ଏବେ ବି ଘଟଣାର ବିଭିନ୍ନ ଦିଗକୁ ନେଇ ତର୍ଜମା କରିବା ସହ ତଦନ୍ତ ଚଳାଇଛି। ତେବେ ଝରାଫୁଲକୁ ଏତେ ପ୍ରେମ କରୁଥିବା ରାକେଶ ହଠାତ୍ ତା’କୁ କେଉଁ କାରଣରୁ ତା’କୁ ହତ୍ୟା କଲା ? କେମିତି ହତ୍ୟା କଲା ? ରାକେଶ ଏକୁଟିଆ ମାରିଛି ନା ହତ୍ୟାକାଣ୍ଡରେ ଆଉ କେହି ସାମିଲ ଅଛି ? ତଦନ୍ତକାରୀ ପୁଲିସକୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ତେଣୁ ଟିକିନିଖି ପ୍ରମାଣ ଯୋଗାଡ଼ କରିବା ପାଇଁ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ ଜାନୁଆରି ୨୬ ତାରିଖ ରାତିରେ ଝରାଫୁଲ ଏବଂ ରାକେଶ ଭୁବନେଶ୍ବର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ୍ର ୨୦୧ ନମ୍ବର ରୁମ୍ରେ ରାତ୍ରିଯାପନ କରିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ କ୍ରୋଧରେ ଅନ୍ଧ ହୋଇ ରାକେଶ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ବୋଲି କୁହାଯାଉଛି । କ୍ରାଇମ ସିନ ରିକ୍ରିଏଟ ପାଇଁ ଯାଜପୁର ପୁଲିସ ଭୁବନେଶ୍ବରର ସଂପୃକ୍ତ ଗେଷ୍ଟ ହାଉସକୁ ଯାଇଥିବା ବେଳେ ଏ ନେଇ ଅନେକ ତଥ୍ୟ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହାର ସୁରାକ ମିଳିଥିବାବେଳେ ଖୋଦ୍ ରାକେଶ ମଧ୍ୟ ପୁଲିସ ଆଗରେ ଏହା ମାନିଥିବା କୁହାଯାଉଛି । ରାତିରେ ସେମାନଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ନେଇ ଗେଷ୍ଟହାଉସ୍ କର୍ମଚାରୀମାନେ ପୁଲିସ ଆଗରେ ପ୍ରକାଶ କରିଛନ୍ତି। ତେବେ ଏହି ଝଗଡ଼ା କାହିଁକି ହୋଇଥିଲା ଏବଂ ଝଗଡ଼ା ପରେ ରାକେଶ ଝରାଫୁଲଙ୍କୁ କେମିତି ହତ୍ୟା କଲା, ତାହା ସେମାନେ ଜାଣି ନଥିବା କହିଛନ୍ତି । ଅପରପକ୍ଷରେ ଝରାଫୁଲର ମୋବାଇଲ ଏବଂ ଏକ ଡ୍ରେସ୍କୁ ପୁଲିସ ଜବତ କରିଥିବା ଜଣାପଡ଼ିଛି । ଝରାଫୁଲର ଶବ ଯେଉଁଠି ଫିଙ୍ଗା ଯାଇଥିଲା, ତାହାଠାରୁ ଅଳ୍ପ ଦୂରରେ ରାକେଶ ମୋବାଇଲଟିକୁ ଫିଙ୍ଗି ଦେଇଥିଲା । ପରେ ଜଣେ ସ୍ଥାନୀୟ ବ୍ୟକ୍ତି ମୋବାଇଲଟିକୁ ପାଇ ସାଙ୍ଗରେ ନେଇ ଯାଇଥିଲେ । ତେଣୁ ପୁଲିସ ରାକେଶକୁ ଡେମୋ ପାଇଁ ନେଇଥିଲା ବେଳେ ମୋବାଇଲ ପାଇ ନ ଥିଲା । ତେବେ ମୋବାଇଲ ପାଇଥିବା ବ୍ୟକ୍ତିଜଣକ ଏହାକୁ ପୁଲିସକୁ ଫେରାଇ ଦେଇଥିବାରୁ ପୁଲିସ ଏଥିରୁ ଅନେକ ତଥ୍ୟ ହାସଲ କରିବ ବୋଲି ଆଶା ବାନ୍ଧିଛି । ସେହିପରି ସ୍କୁଟି ଲୁଚାଇଥିବା ସ୍ଥାନରୁ ପୁଲିସ ଝରାଫୁଲଙ୍କ ଏକ ଡ୍ରେସ୍ ମଧ୍ୟ ଜବତ କରିଛି । ରାକେଶ ଜାଣିଶୁଣି ଡ୍ରେସ୍ଟିକୁ ଲୁଚରାଇଥିବାରୁ ଏଥିରେ ମଧ୍ୟ ହତ୍ୟାର କିଛି ପ୍ରମାଣ ରହିଥିବା ବିଚାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular