ହାଟଡ଼ିହୀ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନୂଆରମ୍ପାସ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ଲୋକଙ୍କ ନିଷ୍ପତିକୁ ନମାନିବାରୁ ତାଙ୍କୁ ବାସନ୍ଦ କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ମହେଶ୍ୱର ସୁତାର ଓ ତାଙ୍କ ପଡୋଶୀ କୃଷ୍ଣଚନ୍ଦ୍ର ସୁତାରଙ୍କ ମଧ୍ୟରେ ସୀମା ବିବାଦକୁ ନେଇ କଳହ ଦେଖାଦେବା ପରେ ଏହାର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା । ବୈଠକରେ ଏକପାଖିଆ ନିଷ୍ପତି ହେବାରୁ ମହେଶ୍ୱର ଏହାକୁ ମାନି ନଥିଲେ । ସେଥିପାଇଁ ଗାଁର ଜଣେ ଭଦ୍ରଲୋକ ତାଙ୍କୁ ମାରିବାକୁ ଧମକ ଚମକ ଦେଇଥିଲେ । ଯାହାଦ୍ୱାରାକି ମହେଶ୍ୱର ବୈଠକ ଅଧାରୁ ପଳାଇ ଆସିଥିଲେ । ପୁନର୍ବାର ଗାଁ ତରଫରୁ ମହେଶ୍ୱରଙ୍କୁ ବୈଠକକୁ ଡକାଯାଇଥିଲା । ମହେଶ୍ୱରଙ୍କ କହିବାନୁସାରେ ବୈଠକର ନିଷ୍ପତି ସମ୍ପୁର୍ଣ୍ଣ ଏକତରଫା ଥିବାରୁ ସେ ଏହାକୁ ଆଦୌ ଗ୍ରହଣ କରିବା ପାଇଁ ରାଜି ହୋଇନଥିଲେ । ଶେଷରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ମିଳିତ ହୋଇ ମହେଶ୍ୱରଙ୍କୁ ଏକଘରକିଆ କରିବାକୁ ନିଷ୍ପତି ନେଇଥିଲେ । ବୈଠକରେ ହୋଇଥିବା ନିଷ୍ପତି ଅନୁଯାଇ ମହେଶ୍ୱରଙ୍କ ସହିତ ଯେ କଥା ହେବ ଏକ ହଜାର ଜୋରିମାନା ଦେବାକୁ ନିଷ୍ପତି ହୋଇଥିଲା । ୧୦ତାରିଖ ସକାଳେ ଜଣେ ଗ୍ରାମବାସୀ ଗାଁ ସାରା ବୁଲି ଘଣ୍ଟ ବଜାଇ ଗାଁର ଏହି ନିଷ୍ପତିକୁ ଶୁଣାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣାରେ ମହେଶ୍ୱର ଓ ତାଙ୍କ ପରିବାର ମାନସିକ ଦୁଶ୍ଚିନ୍ତାରେ ମର୍ମାହତ ହୋଇପଡିଛନ୍ତି । ତାଙ୍କର ଏକ ଛୋଟ ଛୁଆ ଗାଁରେ ଟ୍ୟୁସନ ହେଉଥିବାବେଳେ ତାକୁ ମଧ୍ୟ ବାରଣ କରାଯାଇଛି ବୋଲି ମହେଶ୍ୱର କହିଛନ୍ତି ।
ଏନେଇ ମହେଶ୍ୱର ନନ୍ଦିପଦା ଥାନାରେ ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଗାଁର ଜଣେ ଯୁବକ ଏପରି ନିଷ୍ପତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଭିଡିଓ ଭାଇରାଲ କରିବାପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗତକାଲି ଉକ୍ତ ଯୁବକଙ୍କୁ ଧମକ ଦେଇ ସର୍ବସାଧାରଣରେ ଭୁଲ ମଗାଇବା ସହ ଭିଡିଓକୁ ଡ଼ିଲିଟି କରାଇଛନ୍ତି । ମହେଶ୍ୱର ସୁତାର ଓ ତାଙ୍କର ପରିବାର ଭୟରେ ଦିନ କାଟୁଛନ୍ତି | ତିନି ଦିନ ହେଲାଣି ତାଙ୍କର ଚୁଲି ଜଳୁନି,କେବଳ ଶୁଖିଲା ଖାଦ୍ୟ କହୁଛନ୍ତି ଶ୍ରୀଯୁକ୍ତ ସୁତାରଙ୍କ ପରିବାର | ଏଠାରେ ପ୍ରଶ୍ନ ଉଠୁଛି ସ୍ୱାଧୀନତାର ୭୪ ବର୍ଷ ପରେ ଏଭଳି ଦୃଶ୍ୟ ଆମର ସ୍ୱାଧୀନତା ଓ ସମ୍ବିଧାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନିତ ? ଦଣ୍ଡ ଦେବାର ଅଧିକାର ଆଇନ ଓ ସମ୍ବିଧାନ ର ଅଛି | କାହାକୁ ମାନସିକ ଆଘାତ ଦେବା ବା ସର୍ବସାଧାରଣରେ ମାନ ସମ୍ମାନ ହାନି କରିବା ଅଇନି ଅନୁଯାଇ ଦଣ୍ଡନୀୟ ଅପରାଧ କି ନୁହେଁ ? ଗାଁରେ କଙ୍ଗାରୁ କୋର୍ଟ କରି କାହାକୁ ବାସନ୍ଦ ବା ଏକଘରିକିଆ କରିବା ନିହାତି ହୀନମନ୍ୟତାର ପରିଚୟ | ତେବେ ଗାଁ ଲୋକମାନଙ୍କୁ ଏ ଅଧିକାର କିଏ ଦେଲା ଯେ ସେମାନେ ଦଣ୍ଡ ଦେବେ ଓ ଆଇନ ନିର୍ମାଣ କରିବେ | ଜଣେ ସାଧାରଣ ଲୋକର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ ଏଥିପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ମହେଶ୍ୱର ଓ ତାଙ୍କ ପରିବାର ନିବେଦନ କରିଛନ୍ତି |



Visitors Today : 3
Total Visitors : 130166
Total Views : 9891611
Visitors Online Now : 0