spot_img

ଚୂଡାନ୍ତ ହେଲା କାର୍ତ୍ତିକ ମାସ ନୀତିକାନ୍ତି

ପୁରୀ: ପ୍ରତିବର୍ଷ ଭଳି ଚଳିତବର୍ଷ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ପ୍ରତିଦିନ ଭୋର ୪ଟାରେ ଦ୍ବାରଫିଟା ଓ ରାତି ୨ଟାରେ ପହୁଡ଼ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହ କାର୍ତ୍ତିକ ମାସରେ ପଡ଼ୁଥିବା ହରିହରବେଶ, ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ହରି ଉତ୍ଥାପନ ନୀତି, ବାଙ୍କଚୁଡ଼ ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି, ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ଓ ରାଜାଧିରାଜ ବେଶର ନୀତିକାନ୍ତିରେ ବି ମୋହର ବାଜିଛି। କୋଭିଡ୍-୧୯ ପାଇଁ ଚଳିତବର୍ଷ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ନିର୍ଘଣ୍ଟ ନୀତି ଅନୁଯାୟୀ, କାର୍ତ୍ତିକ ମାସରେ ପ୍ରତିଦିନ ଭୋର ୪ଟାରେ ଦ୍ବାର ଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟା ୧୫ରେ ଅବକାଶ ନୀତି ଶେଷ ପରେ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ। ସକାଳ ୭ଟାରେ ରୋଷହୋମ, ୭ଟା ୧୫ରେ ସୂର୍ୟ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା, ୮ଟାରେ ଗୋପାଳବଲ୍ଲଭ, ସାଢ଼େ ୮ଟାରୁ ସାଢ଼େ ୯ଟା ଭିତରେ ସକାଳଧୂପ (କେବଳ କୋଠଭୋଗ), ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ବାଳଧୂପ ନୀତି ପରେ ୧୦ଟା ୧୦ରେ ପ୍ରଥମ ଭୋଗମଣ୍ଡପ ଉଠିବ। ପୂର୍ବାହ୍ଣ ୧୦ଟା ୪୫ରୁ ସାଢ଼େ ୧୧ଟା ଭିତରେ ମଇଲମ ଓ ବେଶ ପରେ ମଧ୍ୟାହ୍ନ ୧୨ଟାରେ ଭୋଗମଣ୍ଡପ ଶେଷ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ସାଢ଼େ ଗୋଟାଏରୁ ମଧ୍ୟାହ୍ନଧୂପ(କେବଳ କୋଠଭୋଗ), ଅପରାହ୍ଣ ଗୋଟାଏରୁ ୨ଟା ଦ୍ବିତୀୟ ଭୋଗମଣ୍ଡପ, ୨ଟାରେ ଦକ୍ଷିଣୀ ଘର ଭୋଗ, ସାଢ଼େ ୨ଟାରେ ମଇଲମ ଓ ବେଶ, ୩ଟାରେ ଦିବା ପହୁଡ଼, ୫ଟାରେ ଦ୍ବାରଫିଟା, ସଂଧ୍ୟା ୬ଟାରେ ସଂଧ୍ୟା ଆଳତି, ୬ଟା ୫ରୁ ୬ଟା ୫୦ ଭିତରେ ମଇଲମ ଓ ବେଶ, ରାତି ୭ଟା ୨୦ରୁ ରାତି ୯ଟା ପର୍ୟ୍ୟନ୍ତ ସଂଧ୍ୟାଧୂପ(କେବଳ କୋଠଭୋଗ), ସାଢ଼େ ୯ଟାରେ ମଇଲମ, ରାତି ୧୦ଟାରେ ଚନ୍ଦନଲାଗି, ୧୧ଟାରେ ବଡ଼ସିଂହାର ବେଶ, ସାଢ଼େ ୧୧ଟାରେ ବଡ଼ସିଂହାର ଭୋଗ ଓ ୧୨ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular