ଆଜି ହେଉଛି ସ୍ୱର ସମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜନ୍ମଦିନ | ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି, ଯାହା ଆମ ସମସ୍ତଙ୍କୁ ଜଣା । ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦି ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସ୍ୱର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା’ ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି କିଛି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଜୋଶ ଦେଖିବାକୁ ମିଳେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0