ଆସନ୍ତା ବର୍ଷ ପ୍ରାରମ୍ଭରେ ୪୦ ଆସନବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ ଅକ୍ଟୋବର ୨୮ ତାରିଖରେ ଦୁଇଦିନିଆ ଗୋଆ ଗସ୍ତରେ ବାହାରୁଛନ୍ତି। ନିକଟ ଅତୀତରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଲୁଇଜିହ୍ନୋ ଫଲିରୋ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିଲେ। ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ଅନ୍ୟ କୌଣସି ଦଳ ସହ ମେଣ୍ଟ କରାଯିବ ନାହିଁ ବୋଲି ‘ତୃଣମୂଳ କଂଗ୍ରେସ’ର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ପୂର୍ବରୁ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ରାଜ୍ୟର ଛୋଟ ଛୋଟ ରାଜନୈତିକ ସଙ୍ଗଠନର ନେତାମାନଙ୍କୁ ଭେଟିବାର ସମ୍ଭାବନା ରହିଛି। ଆମେ ଏକତ୍ର ହୋଇ ଗୋଆକୁ ନୂଆ କରି ଗଢ଼ି ତୋଳିବା ବୋଲି ଦୁଇ ଦିନିଆ ଗସ୍ତ ପୂର୍ବରୁ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ବ୍ୟକ୍ତିବିଶେଷ, ସଂସ୍ଥାନ ଏବଂ ରାଜନୈତିକ ଦଳମାନଙ୍କୁ ଆହ୍ଵାନ ଦେଇଛନ୍ତି। ଟୁଇଟ୍ କରି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ, ଗତ ୧୦ ବର୍ଷ ହେବ ଗୋଆବାସୀ ଯଥେଷ୍ଟ ଭୋଗିଲେଣି। ୨୮ ତାରିଖ ଦିନ ପ୍ରଥମ ଗୋଆ ଗସ୍ତ ପାଇଁ ପ୍ରସ୍ତୁତି କରୁଥିବା ବେଳେ ‘ବିଜେପି’ ଏବଂ ତା’ର ବିଭାଜନକାରୀ ‘ଆଜେଣ୍ଡା’କୁ ପରାହତ କରିବା ପାଇଁ ଏକତ୍ର ହେବାକୁ ମୁଁ ସମସ୍ତ ବ୍ୟକ୍ତିବିଶେଷ, ସଂସ୍ଥାନ ଏବଂ ରାଜନୈତିକ ଦଳଙ୍କୁ ଆହ୍ଵାନ ଜଣାଉଛି।



Visitors Today : 1
Total Visitors : 130784
Total Views : 9900022
Visitors Online Now : 0