ପରଲୋକରେ ଅଭିନେତ୍ରୀ ଆଶାଲତା : ଫିଲ୍ମ ଜଞ୍ଜିରରେ ଅମିତାଭ ବଚ୍ଚନଙ୍କ ମାଆ ଭୂମିକାରେ କରିଥିଲେ ଅଭିନୟ
ସତାରା ୨୨/୯: ଦୀର୍ଘ ଦିନର ଅସୁସ୍ଥତା ପରେ ଚର୍ଚ୍ଚିତ ମରାଠୀ ଅଭିନେତ୍ରୀ ଆଶାଲତା ବାବଗାଁଓକରଙ୍କ ମଙ୍ଗଳବାର ସକାଳେ ମହାରାଷ୍ଟ୍ରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସୋମବାର ସନ୍ଧ୍ୟାରୁ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଯାଇଥିଲା ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ସେପ୍ଟେମ୍ବର ୧୭ତାରିଖରୁ ସେ ମହାରାଷ୍ଟ୍ରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସଚାଲିଥିଲା।
ସେ କୋଙ୍କଣୀ ଏବଂ ମରାଠୀ ନାଟକରୁ କାମ ଆରମ୍ଭ କରିଥିଲେ। ସେ ୧୦୦ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରିଛନ୍ତି।
ଅପନେ ପରାୟେ,ଉମ୍ବରଠା,ମାହେରଚି ସାଡ଼ି,ଅଙ୍କୁଶ,ଶୈତାନି ଇଲାକା,ଖୁନ କା କର୍ଜ,ଘାୟଲ,ବନ୍ଦ ଦରଓ୍ବାଜା,ଜଞ୍ଜିର,ଚଲତେ ଚଲତେ,ଉଧାର କା ସିନ୍ଦୂର,ଶୌକିନ,ନମକ ହଲାଲ,କୁଲି ଏବଂ ମହାଦେବ ଭଳି କିଛି ଲୋକପ୍ରିୟ ଫିଲ୍ମରେ ସେ ଅଭିନୟ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଜଞ୍ଜିରରେ ଅମିତାଭ ବଚ୍ଚନଙ୍କ ସାବତ ମାଆ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୭୩ମସିହାରେ ରିଲିଜ ହୋଇଥିଲା। ଏହା ବ୍ୟତୀତ ସେ ଅନେକ ଦିନ ଯାଏଁ ଥିଏଟର ଏବଂ ନାଟକର ଅଂଶ ବିଶେଷ ମଧ୍ୟ ଥିଲେ।
ସେ କ୍ଲାସିକାଲ୍ ସଙ୍ଗୀତ ଏବଂ ମରାଠୀ ନାଟ୍ୟସଙ୍ଗୀତରେ ମଧ୍ୟ ଗାୟିକା ରହିଛନ୍ତି। ଆଶାଲତା ଗାର୍ଡ଼ ଶୋଭାବତୀ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି।