ବେଙ୍ଗାଲୁରୁ: ବିବାହ ପରେ ନିଜ ପରିବାର ସହ ସମ୍ପର୍କ ତୁଟୁ ନ ଥିବାରୁ ଅନୁକମ୍ପା କ୍ଷେତ୍ରରେ ପିତାମାତାଙ୍କ ଚାକିରି ଉପରେ ବିବାହିତା ଝିଅଙ୍କର ଦାବି ଅଛି ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି। ବେଙ୍ଗାଲୁରୁବାସିନୀ ଭୁବନେଶ୍ୱରୀ ଭି ପୁରଣିକ ନାମ୍ନା ଜଣେ ଆବେଦନକାରିଣୀଙ୍କ ପିଟିସନର ଶୁଣାଣି କରି ହାଇକୋର୍ଟ ଏ କଥା କହିଛନ୍ତି। ସରକାରଙ୍କର କୌଣସି ବିଭାଗରେ ଚାକିରି ନିମନ୍ତେ ଭୁବନେଶ୍ୱରୀ କରିଥିବା ଆବେଦନକୁ ବିଚାରକୁ ନେବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଭୁବନେଶ୍ୱରୀ ବିବାହିତା ହୋଇଥିବା କାରଣରୁ କ୍ଷତିପୂରଣ ବା ଅନୁକମ୍ପା ଆଧାରରେ ସେ ଚାକିରି ନିମନ୍ତେ କରିଥିବା ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରି ଦେଇଥିଲେ। ସୂଚନା ଅନୁସାରେ, ବେଲାଗାବି ଜିଲ୍ଲାର କୁଡୁଚିସ୍ଥିତ ‘ଏଗ୍ରିକଲଚର ପ୍ରଡ୍ୟୁସ ମାର୍କେଟିଙ୍ଗ କମିଟି’ରେ ଜଣେ ସଚିବ ଭାବେ କାର୍ୟ୍ୟରତ ଥିବାବେଳେ ୨୦୧୬ରେ ଆବେଦନକାରିଣୀଙ୍କ ବାପା ଅଶୋକ ଆଡ଼ିବେପ୍ପା ମାଡ଼ିବାଲାରଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଭିତ୍ତିରେ ଚାକିରି ପାଇଁ ଝିଅ ଭୁବନେଶ୍ୱରୀ କରିଥିବା ଆବେଦନକୁ ‘କୃଷି ବିପଣନ ବିଭାଗ’ର ଯୁଗ୍ମ ନିର୍ଦେଶକ ଅଗ୍ରାହ୍ୟ କରି ଦେଇଥିଲେ। ଭୁବନେଶ୍ୱରୀଙ୍କ ଭାଇ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି ଏବଂ ସେ ସରକାରୀ ଚାକିରି ନିମନ୍ତେ ଅନାଗ୍ରହୀ। ଏହାକୁ ବୈଷମ୍ୟତା ଦର୍ଶାଇ ଭୁବନେଶ୍ୱରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0